ପୁରୀ: ଦୀର୍ଘ ଅଣସର ନୀତି ପରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସୁସ୍ଥ ହୋଇଥିବା ଖବର ରବିବାର ଆଦ୍ୟସେବକ ଗଜପତି ମହାରାଜଙ୍କୁ ବିଧିବଦ୍ଧ ଭାବେ ଜଣାଇ ଦିଆଯାଇଛି। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ ପରେ ପରମ୍ପରା ଅନୁଯାୟୀ ଜ୍ୱରରେ ପୀଡ଼ିତ ହୋଇ ଅଣସର ଗୃହରେ ବିଶ୍ରାମ ନେଉଥିବା ମହାପ୍ରଭୁ ବର୍ତ୍ତମାନ ଆରୋଗ୍ୟ ଲାଭ କରିଛନ୍ତି।
ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରର ସେବକମାନେ ରୂପା ଥାଳିରେ ମହାପ୍ରଭୁଙ୍କ ଚନ୍ଦନ, କରାଳ ଓ ପାଟଡୋର ଧରି ଶ୍ରୀମନ୍ଦିରରୁ ଶ୍ରୀନଅରକୁ ବିଜେ କରିଥିଲେ। ସେଠାରେ ଗଜପତି ମହାରାଜଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଶ୍ରୀମନ୍ଦିର ପରମ୍ପରାରେ ଏହି ବିଶେଷ ନୀତିକୁ 'ରାଜପ୍ରସାଦ ବିଜେ ନୀତି' ବୋଲି କୁହାଯାଏ।
ଅଣସର କାଳରେ ମହାପ୍ରଭୁଙ୍କ ଗୁପ୍ତ ସେବା ଦଇତାପତି ଓ ପତିମହାପାତ୍ର ସେବକମାନେ ସମ୍ପନ୍ନ କରିଥାନ୍ତି। ପଞ୍ଚମୀ ତିଥିରେ ବଡ଼ଓଡ଼ିଆ ମଠରୁ ଆସିଥିବା ପବିତ୍ର ଫୁଲୁରି ତେଲ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା। ଏହାପରେ ଶୁଦ୍ଧସୁଆର ସେବକମାନଙ୍କ ପ୍ରସ୍ତୁତ 'ଓଷ' ତିନି ଦିନ ଧରି ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା।
ଦଶମୀ ତିଥିରେ ଚକାବିଜେ ନୀତି ଏବଂ ଏକାଦଶୀରେ ଖଳି ଓ ତୁଳସୀ ଲାଗି ସହ ଦଶମୂଳ ମୋଦକ ଅର୍ପଣ କରାଯାଇଥିଲା। ପରମ୍ପରା ଅନୁଯାୟୀ ଏହି ଔଷଧୀୟ ସେବା ପରେ ଶ୍ରୀଜୀଉମାନେ ସୁସ୍ଥ ହୋଇଥିବା ବିଶ୍ୱାସ ରହିଛି। ଏହି ସମସ୍ତ ନୀତି ସମୟରେ ଜୟବିଜୟ ଦ୍ୱାର ବନ୍ଦ ରଖାଯାଇ ବେହେରଣ ଦ୍ୱାର ଦେଇ ସେବକମାନେ ଅଣସର ଗୃହରେ ପ୍ରବେଶ କରି ଗୁପ୍ତ ସେବା ସମ୍ପନ୍ନ କରିଥିଲେ।
ଏବେ ମହାପ୍ରଭୁଙ୍କ ଆରୋଗ୍ୟ ସମ୍ବାଦ ସହ ଭକ୍ତମାନଙ୍କ ମଧ୍ୟରେ ରଥଯାତ୍ରାକୁ ନେଇ ଉତ୍ସାହ ବହୁଗୁଣ ବଢ଼ିଯାଇଛି। ଅନ୍ୟପଟେ, ଚଳିତ ବର୍ଷର ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଛି। ଅଣସର ପର୍ବ ଶେଷ ହେବା ପରେ ଶ୍ରୀଜୀଉଙ୍କ ନବଯୌବନ ବେଶ ଦର୍ଶନ ଓ ପରେ ରଥଯାତ୍ରା ପାଇଁ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷାରେ ରହିଛନ୍ତି।