ପୁରୀ: ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଇସ୍କନର ମନମାନି ଏବଂ ଏତାଦୃଶ୍ୟ ଘଟଣାକୁ ନେଇ ରାଜ୍ୟରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ବିବାଦ ଭିତରେ ଇସ୍କନ ମୁମ୍ବାଇ (ଜୁହୁ) ଶାଖା ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ରିଲିଜକୁ ନେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗୁରୁତର ଅଭିଯୋଗ ଆଣିବା ସହ କଡ଼ା ଜବାବ ଦେଇଛନ୍ତି।
ଶ୍ରୀନଅରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ସ୍ପଷ୍ଟ କରିଛନ୍ତି ଯେ, ଇସ୍କନର ପ୍ରେସ ରିଲିଜରେ ଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଅପ୍ରାସଙ୍ଗିକ। ଗଜପତି କହିଛନ୍ତି, "ଶ୍ରୀନଅରରେ ପୁରୀର ବିଦ୍ୱାନ ଓ ଇସ୍କନର ପ୍ରତିନିଧିଙ୍କ ମଧ୍ୟରେ ଯେଉଁ ଆଲୋଚନା ହୋଇଥିଲା, ସେଥିରେ ଆମ ବିଦ୍ୱାନମାନେ ହାରିଯାଇଥିଲେ ବୋଲି ଇସ୍କନ ଯେଉଁ ମନଗଢ଼ା କାହାଣୀ ପ୍ରଚାର କରୁଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ।
୧୯୯୧ ଜର୍ମାନୀ ଗସ୍ତ ନେଇ ଖଣ୍ଡନ
୧୯୯୧ ମସିହାରେ ନିଜର ଜର୍ମାନୀ (ବର୍ଲିନ୍) ଗସ୍ତ ସମୟରେ ସେ ସେଠାକାର ରଥଯାତ୍ରାକୁ ପ୍ରଶଂସା କରିଥିଲେ ବୋଲି ଇସ୍କନ ଯେଉଁ ଦାବି କରିଛି, ତାହାକୁ ଗଜପତି ଖଣ୍ଡନ କରିଛନ୍ତି। ଗଜପତି ସ୍ପଷ୍ଟ କରିଛନ୍ତି ଯେ, ସେଠାରେ ଆୟୋଜିତ ରଥଯାତ୍ରା ପାଇଁ ସେ କୌଣସି ପ୍ରକାର ସ୍ୱୀକୃତି ବା ଅନୁମୋଦନ ଦେଇନଥିଲେ।
ଗଜପତିଙ୍କ ସୂଚନା ମୁତାବକ, ୧୯୯୧ ମସିହା ପୂର୍ବରୁ ହିଁ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଥିଲା। ଏହା ଜାଣିବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଖୋଦ ଗଜପତି ବାରମ୍ବାର ମୌଖିକ ଓ ଲିଖିତ ଚିଠି ମାଧ୍ୟମରେ ଏହା ବନ୍ଦ କରିବାକୁ କହିଥିଲେ। ଏହା ସତ୍ତ୍ୱେ ଇସ୍କନ ବିଶ୍ୱର ବିଭିନ୍ନ ସ୍ଥାନରେ ନିୟମକୁ ଅଣଦେଖା କରି ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ କରିଚାଲିଛି।
ଆସନ୍ତାକାଲି ଆସିବ ଶ୍ରୀମନ୍ଦିର ପ୍ରଶାସନର କଡ଼ା ଜବାବ
ବର୍ତ୍ତମାନ ସାରା ଦେଶରେ ଇସ୍କନ ବିରୋଧରେ ଉଠିଥିବା ଜନ ଅସନ୍ତୋଷକୁ ଦେଖି ଇସ୍କନ ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଇ ବର୍ତ୍ତିବାକୁ ଚେଷ୍ଟା କରୁଛି ବୋଲି ଗଜପତି କଡ଼ା ଶବ୍ଦରେ କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗରେ ଆସନ୍ତାକାଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଲିଖିତ ଏବଂ କଡ଼ା ଜବାବ ଦିଆଯିବ।