ପୁରୀ: ପୁରୀ ବେଳାଭୂମିରୁ ପୁଣି ଏକ ଅଘଟଣ ଖବର ସାମ୍ନାକୁ ଆସିଛି। ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଅତି ଅସାବଧାନତା ଯୋଗୁଁ ୩ ଜଣ ଅଣଓଡ଼ିଆ ପର୍ଯ୍ୟଟକ ଗଭୀର ପାଣିକୁ ଭାସି ଯାଇଥିଲେ। ତେବେ ଲାଇଫ୍ ଗାର୍ଡ ଏବଂ ଅଗ୍ନିଶମ ବାହିନୀର ତତ୍କାଳ ତତ୍ପରତା ଯୋଗୁଁ ଏକ ବଡ଼ ବିପତ୍ତି ଟଳି ଯାଇଛି ଏବଂ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ସୂଚନା ମୁତାବକ, ପୁରୀ ସମୁଦ୍ର କୂଳ ସେକ୍ଟର-୯ ଅନ୍ତର୍ଗତ ଚୈତନ୍ୟ ଛକ ନିକଟ ବେଳାଭୂମିରେ ଏହି ଅଘଟଣ ଘଟିଛି। ଛତିଶଗଡ଼ରୁ ପୁରୀ ବୁଲିବାକୁ ଆସିଥିବା ୩ ଜଣ ପର୍ଯ୍ୟଟକ ସମୁଦ୍ରରରେ ଗାଧୋଉଥିଲେ। ହେଲେ ହଠାତ୍ ଏକ ବଡ଼ ଜୁଆର ଆସି ସେମାନଙ୍କୁ ଭିତରକୁ ଟାଣି ନେଇଥିଲା। ପାଣିର ସ୍ରୋତ ଅଧିକ ଥିବାରୁ ସେମାନେ ନିଜକୁ ନିୟନ୍ତ୍ରଣ କରିନପାରି ବୁଡ଼ିବାକୁ ଲାଗିଥିଲେ।
ଦେବଦୂତ ସାଜିଲେ ଲାଇଫ୍ ଗାର୍ଡ ଓ ଅଗ୍ନିଶମ କର୍ମୀ
ପର୍ଯ୍ୟଟକମାନେ ବୁଡ଼ି ଯାଉଥିବା ଦେଖି ସେଠାରେ ମୁତୟନ ଥିବା ସ୍ଥାନୀୟ ଲାଇଫ୍ ଗାର୍ଡ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିଳମ୍ବ ନକରି ସମୁଦ୍ର ଭିତରକୁ ଡେଇଁ ପଡ଼ିଥିଲେ। ଅତି ସନ୍ତର୍ପଣର ସହ ସେମାନେ ବୁଡ଼ି ଯାଉଥିବା ୩ ପର୍ଯ୍ୟଟକଙ୍କୁ ସମୁଦ୍ର ଗର୍ଭରୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଠିକ୍ ସମୟରେ ଉଦ୍ଧାର କରାଯାଇଥିବାରୁ ସେମାନଙ୍କ ଜୀବନ ରକ୍ଷା ପାଇପାରିଛି।
ଉଦ୍ଧାର ହୋଇଥିବା ପର୍ଯ୍ୟଟକମାନେ ହେଲେ ତୁଳସୀ ମାଣିକପୁରୀ, ମୁକେଶ କେଓ୍ବତ, ଭୈବବ କେଓ୍ବତ। ପୁରୀ ବେଳାଭୂମିରେ ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ ସୂଚନା ଦିଆଯାଉଥିଲେ ମଧ୍ୟ ପର୍ଯ୍ୟଟକମାନେ ଏହାକୁ ବେଖାତିର କରି ଗଭୀର ସମୁଦ୍ରକୁ ଗାଧୋଇବାକୁ ଚାଲିଯାଉଛନ୍ତି, ଯାହାଫଳରେ ଏଭଳି ବିପଦପୂର୍ଣ୍ଣ ସ୍ଥିତି ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
Also Read: ଆଜି ହଜାର ହଜାର ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବେ ପ୍ରଭାତ ବିଶ୍ଵାଳ !