ଭୁବନେଶ୍ୱର: ରାଜ୍ୟରେ ସରକାର ବଦଳିବା ପରେ ଏବେ ଯୋଜନା ଏବଂ ଫଟୋ ରାଜନୀତି ଜୋର ଧରିଛି। ‘ମିଶନ ଶକ୍ତି’ ବିଭାଗରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ହଟାଯିବା ପ୍ରସଙ୍ଗକୁ ନେଇ ଏବେ ବିଜେପି ସରକାର ଉପରେ ବର୍ଷିଛନ୍ତି ବିଜେଡି ପିଏସି ସଦସ୍ୟା ତଥା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ। ଏହାକୁ ଏକ ରାଜନୈତିକ ଚକ୍ରାନ୍ତ ବୋଲି ଅଭିହିତ କରିବା ସହ ନୂଆ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
ନବୀନଙ୍କ ଫଟୋ ହଟାଇବା ଏକ ହୀନ ଚକ୍ରାନ୍ତ
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟୁକୁନି ସାହୁ କହିଛନ୍ତି ଯେ, ଓଡ଼ିଶାର ମାଆମାନଙ୍କୁ ସ୍ଵାବଲମ୍ବୀ କରିବା ଏବଂ ସେମାନଙ୍କୁ ଆଗକୁ ନେବା ପାଇଁ ନବୀନ ପଟ୍ଟନାୟକ ‘ମିଶନ ଶକ୍ତି’ର ପରିକଳ୍ପନା କରିଥିଲେ। ମିଶନ ଶକ୍ତି ବିଭାଗର ପ୍ରଥମ ମନ୍ତ୍ରୀ ଭାବେ ନିଜର ଅନୁଭୂତି ବାଣ୍ଟି ସେ କହିଛନ୍ତି, "ନବୀନ ବାବୁ ମହିଳାମାନଙ୍କୁ କେବଳ ଋଣ ଦେଇନାହାନ୍ତି, ବରଂ ସେମାନଙ୍କ ଦକ୍ଷତା ବିକାଶ ପାଇଁ ବିଦେଶ ପଠାଇ ଟ୍ରେନିଂର ବ୍ୟବସ୍ଥା ମଧ୍ୟ କରିଥିଲେ। ମାଆମାନଙ୍କ ହୃଦୟରେ ଥିବା ନବୀନ ପଟ୍ଟନାୟକଙ୍କ ଫଟୋକୁ ସରକାରୀ କୋଠାରୁ ହଟାଇଦେବା ଏକ ଅତି ନୀଚ ଚକ୍ରାନ୍ତ।"
‘କାମ କର, ତା’ପରେ ଫଟୋ ଲଗାଅ’
ବର୍ତ୍ତମାନ ସବୁ ସରକାରୀ ବ୍ୟାନର ଓ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋ ଶୋଭା ପାଉଥିବା ନେଇ ସେ କଟାକ୍ଷ କରିଛନ୍ତି। ବିଜେପି ସରକାରଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି, "ଆଗ ମାଆମାନଙ୍କ ପାଇଁ କିଛି ଭଲ କାମ କରି ଦେଖାଅ, ତା’ପରେ ନିଜର ଫଟୋ ଲଗାଇବ।"
ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଭଣ୍ଡେଇ ଦେଲେ
ନିଜ ବୟାନରେ ବିଜେପିର ସୁଭଦ୍ରା ଯୋଜନା ଉପରେ ମଧ୍ୟ ବଡ଼ ଅଭିଯୋଗ ଆଣିଛନ୍ତି ଟୁକୁନି ସାହୁ। ସେ କହିଛନ୍ତି ଯେ ନିର୍ବାଚନ ସମୟରେ ବିଜେପି ମହିଳାମାନଙ୍କୁ ୫୦ ହଜାର ଟଙ୍କାର ସୁଭଦ୍ରା ଭାଉଚର ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ଏବେ ମହିଳାମାନଙ୍କୁ ବର୍ଷକୁ ମାତ୍ର ୫ ହଜାର ଟଙ୍କାର କିସ୍ତି ଦେଇ ସରକାର ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଭଣ୍ଡେଇ ଦେଇଛନ୍ତି।
Also read: ପୁରୀ ସମୁଦ୍ରରେ ଅଘଟଣ: ଗାଧୋଇବା ବେଳେ ଭାସିଗଲେ ୩ ପର୍ଯ୍ୟଟକ, ଦେବଦୂତ ସାଜି ଉଦ୍ଧାର କଲେ ଲାଇଫ୍ ଗାର୍ଡ