ଭୁବନେଶ୍ୱର: ଦୀର୍ଘ ୮ ବର୍ଷ ଧରି ଟ୍ରିବ୍ୟୁନାଲରେ ଚାଲିଆସୁଥିବା ମହାନଦୀ ଜଳ ବିବାଦ ମାମଲାରେ ଶୁକ୍ରବାର ଏକ ବଡ଼ ପ୍ରଗତି ଦେଖିବାକୁ ମିଳିଛି। ବର୍ଷ ବର୍ଷ ଧରି ଆଇନଗତ ଲଢ଼େଇ ପରେ ପ୍ରଥମଥର ପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାର ଆଲୋଚନା ଓ ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସ୍ଥାୟୀ ସମାଧାନ ପାଇଁ ସହମତି ପ୍ରକାଶ କରିଛନ୍ତି। ଏହି ପଦକ୍ଷେପକୁ ମହାନଦୀ ବିବାଦରେ ଏକ ଐତିହାସିକ ମୋଡ଼ ବୋଲି କୁହାଯାଉଛି।
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁଣାଣି ପରେ ଓଡ଼ିଶାର ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ଗତ ୮ ବର୍ଷ ମଧ୍ୟରେ ଆଜିର ଶୁଣାଣି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଛି। କାରଣ, ପ୍ରଥମଥର ପାଇଁ ଉଭୟ ରାଜ୍ୟ ବିବାଦର ସମାଧାନ ପାଇଁ ସକାରାତ୍ମକ ମନୋଭାବ ଦେଖାଇଛନ୍ତି।
ଶୁଣାଣି ସମୟରେ ଛତିଶଗଡ଼ ସରକାର ସ୍ପଷ୍ଟ କରିଛନ୍ତି ଯେ, ଆଲୋଚନା ମାଧ୍ୟମରେ ଓଡ଼ିଶା ସହ ଜଳ ବଣ୍ଟନ ବିବାଦର ସ୍ଥାୟୀ ସମାଧାନ କରିବାକୁ ସେମାନେ ଆଗ୍ରହୀ। ଏହା ପରେ ଟ୍ରିବ୍ୟୁନାଲ ଛତିଶଗଡ଼ ସରକାରଙ୍କୁ ଏହି ସହମତି ସମ୍ପର୍କରେ ଏକ ଲିଖିତ ପ୍ରତିଶ୍ରୁତି ଆସନ୍ତା ଶୁଣାଣି ପୂର୍ବରୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଚଳିତ ଜୁଲାଇ ମାସରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପତ୍ର ବିନିମୟ ହୋଇଥିଲା। କେନ୍ଦ୍ରୀୟ ଜଳ ଆୟୋଗ (CWC)ର ମଧ୍ୟସ୍ଥତାରେ ମହାନଦୀ ଜଳ ବଣ୍ଟନ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ ଛତିଶଗଡ଼ ସରକାର ସକାରାତ୍ମକ ଭାବେ ଗ୍ରହଣ କରି ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଜଣାଇଛନ୍ତି।
ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟଙ୍କ କହିବାନୁସାରେ, କେନ୍ଦ୍ରୀୟ ଜଳ ଆୟୋଗର ବୈଷୟିକ ବିଶେଷଜ୍ଞଙ୍କ ଅନୁଭବକୁ ଆଧାର କରି ସମାଧାନର ରାସ୍ତା ଖୋଜାଯାଉଛି। ଏପର୍ଯ୍ୟନ୍ତ ଉଭୟ ରାଜ୍ୟର ବୈଷୟିକ ଦଳ ମଧ୍ୟରେ ୨୧ଟି ବୈଠକ ହୋଇସାରିଛି ଏବଂ କେନ୍ଦ୍ର ସରକାର ମଧ୍ୟ ଏହି ପ୍ରକ୍ରିୟାରେ ସହଯୋଗ କରୁଛନ୍ତି।
ଏବେ ସମସ୍ତଙ୍କ ନଜର ରହିଛି ଆସନ୍ତା ଜୁଲାଇ ୨୩ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଉପରେ। ସେହି ଦିନ ଛତିଶଗଡ଼ ସରକାରଙ୍କ ଲିଖିତ ପ୍ରତିଶ୍ରୁତିକୁ ଆଧାର କରି ଟ୍ରିବ୍ୟୁନାଲ ପରବର୍ତ୍ତୀ ପଦକ୍ଷେପ ସ୍ଥିର କରିବେ। ଦୁଇ ରାଜ୍ୟର ସକାରାତ୍ମକ ମନୋଭାବ ପରେ ମହାନଦୀ ଜଳ ବିବାଦର ଦୀର୍ଘଦିନର ଅଚଳାବସ୍ଥା ଦୂର ହେବା ସହ ଏକ ସ୍ଥାୟୀ ଓ ସର୍ବସମ୍ମତ ସମାଧାନର ଆଶା ଆହୁରି ଦୃଢ଼ ହୋଇଛି। ଏହି ପ୍ରଗତି କେବଳ ଦୁଇ ରାଜ୍ୟ ପାଇଁ ନୁହେଁ, ବରଂ ମହାନଦୀ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ମଧ୍ୟ ଏକ ସକାରାତ୍ମକ ସଙ୍କେତ ବୋଲି ମନେ କରାଯାଉଛି।