କଟକ: ରାଜ୍ୟ ରାଜନୀତିରେ ପୁଣି ଏକ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ଶଙ୍ଖ ଦଳର ପ୍ରମୁଖ ଚେହେରା ସାଜିଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଶେଷରେ ବିଜେଡି ସହିତ ସମସ୍ତ ସମ୍ପର୍କ ଚିନ୍ନ କରିଛନ୍ତି। ଆଜି ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇ ପାରନ୍ତି।
ଆଜି ସକାଳୁ କଟକ ମହାନଦୀ ବିହାର ସ୍ଥିତ ପ୍ରଭାତ ବିଶ୍ଵାଳଙ୍କ ବାସଭବନ ପରିସରରେ ଏକ ଭିନ୍ନ ମାହୋଲ ଦେଖିବାକୁ ମିଳିଛି। ହଜାର ହଜାର ସମର୍ଥକ ଓ କର୍ମୀଙ୍କ ଗହଳିରେ ସାରା ଅଞ୍ଚଳ କମ୍ପୁଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ସମର୍ଥକମାନଙ୍କ ହାତରେ ଏବେ ବିଜେଡି ବଦଳରେ ବିଜେପିର ପଦ୍ମ ଚିହ୍ନ ଥିବା ବ୍ୟାନର ଓ ପୋଷ୍ଟର ଶୋଭା ପାଉଛି। ବ୍ୟାନରରେ ପ୍ରଭାତଙ୍କ ଫଟୋ ସହ ବିଜେପିର ପ୍ରମୁଖ ନେତାଙ୍କ ଚିତ୍ର ମଧ୍ୟ ସ୍ଥାନ ପାଇଛି, ଯାହା ସେ ପଦ୍ମ ଧରିବା ନେଇ ସ୍ପଷ୍ଟ ସଂକେତ ଦେଉଛି। ତାଙ୍କ ଦଳ ବଦଳକୁ ନେଇ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।
ଭୁଶୁଡ଼ିବ କି ଚୌଦ୍ଵାର-କଟକର 'ଶଙ୍ଖ' ଗଡ଼ ?
ପ୍ରଭାତ ବିଶ୍ଵାଳ ହେଉଛନ୍ତି ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀର ଜଣେ ପ୍ରଭାବଶାଳୀ ନେତା। ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳରେ ବିଜେଡିର ସଂଗଠନକୁ ମଜବୁତ ରଖିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଏଭଳି ସ୍ଥିତିରେ ସେ ବିଜେପିରେ ଯୋଗ ଦେବା ପରେ ଚୌଦ୍ଵାର-କଟକ ରାଜନୀତିରେ ବିଜେଡିର ଦୁର୍ଗ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ ବୋଲି ସ୍ଥାନୀୟ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି।
ଗଣମାଧ୍ୟମ ସାମ୍ନାରେ ଏଯାଏଁ ମୁହଁ ଖୋଲିନାହାନ୍ତି ପ୍ରଭାତ
ବିଜେପି ବ୍ୟାନରରେ ତାଙ୍କ ଫଟୋ ଝୁଲୁଥିବା ଏବଂ ସମର୍ଥକମାନେ ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ ଏହି ବଡ଼ ନିଷ୍ପତ୍ତିକୁ ନେଇ ପ୍ରଭାତ ବିଶ୍ଵାଳ ଗଣମାଧ୍ୟମ ସାମ୍ନାରେ ନିଜର ଆନୁଷ୍ଠାନିକ ପ୍ରତିକ୍ରିୟା ରଖିନାହାନ୍ତି। ତେବେ ଆଜି ମିଶ୍ରଣ ପର୍ବ ପରେ ସେ ନିଜର ଆଗାମୀ ରଣନୀତି ସ୍ପଷ୍ଟ କରିପାରନ୍ତି ବୋଲି ଆଶା କରାଯାଉଛି।