ନୂଆଦିଲ୍ଲୀ: ଭାରତ ଏବଂ କାତାର ମଧ୍ୟରେ ଥିବା ଦ୍ୱିପାକ୍ଷିକ ବନ୍ଧୁତାକୁ ସମ୍ମାନ ଜଣାଇ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କାତାରର ପୂର୍ବତନ ଅମୀର ଶେଖ ହମଦ ବିନ ଖଲିଫା ଅଲ ଥାନୀଙ୍କ ଦେହାନ୍ତ ପରେ ଦେଶରେ ଦିନିକିଆ ଜାତୀୟ ଶୋକ ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଅର୍ଦ୍ଧନମିତ ରହିବ ତ୍ରିରଙ୍ଗା
ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଜାତୀୟ ଶୋକ ପାଳନ ଅବସରରେ ସାରା ଦେଶରେ ଏବଂ ବିଦେଶରେ ଥିବା ସମସ୍ତ ଭାରତୀୟ ଦୂତାବାସରେ ନିୟମିତ ଭାବେ ଉଡ଼ୁଥିବା ଜାତୀୟ ପତାକା 'ତ୍ରିରଙ୍ଗା' ଅର୍ଦ୍ଧନମିତ ରହିବ। ଏହା ସହିତ ଏହି ଦିନ କୌଣସି ପ୍ରକାରର ସରକାରୀ ମନୋରଞ୍ଜନ କିମ୍ବା ଆମୋଦପ୍ରମୋଦ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ।
କାତାରର ବିକାଶରେ ଶେଖ ହମଦଙ୍କ ଥିଲା ବଡ଼ ଅବଦାନ
କାତାରର ଆଧୁନିକୀକରଣ ଏବଂ ବିକାଶ ପଛରେ ପୂର୍ବତନ ଅମୀର ଶେଖ ହମଦ ବିନ ଖଲିଫା ଅଲ ଥାନୀଙ୍କ ପ୍ରମୁଖ ଭୂମିକା ଥିଲା। ତାଙ୍କ ନେତୃତ୍ୱରେ କାତାର ବିଶ୍ୱର ସବୁଠାରୁ ସମୃଦ୍ଧ ଦେଶ ଗୁଡ଼ିକ ମଧ୍ୟରେ ସ୍ଥାନ ପାଇଥିଲା। ଭାରତ ସହିତ ତାଙ୍କର ସମ୍ପର୍କ ସବୁବେଳେ ସୁଦୃଢ଼ ରହିଆସିଥିଲା, ଯେଉଁଥିପାଇଁ ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ କାତାରର ରାଜପରିବାର ଏବଂ ଜନସାଧାରଣଙ୍କୁ ସମବେଦନା ଜଣାଇଛନ୍ତି।
ଭାରତରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ କାତାରରେ ରହି କାମ କରୁଥିବା ବେଳେ ଉଭୟ ଦେଶ ମଧ୍ୟରେ ବ୍ୟାପାରିକ ଏବଂ ରଣନୈତିକ ସମ୍ପର୍କ ଉଚ୍ଚ କୋଟିର ରହିଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଏହି ପଦକ୍ଷେପ କାତାର ପ୍ରତି ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସ୍ପଷ୍ଟ କରୁଛି।
Also Read: ‘ମୁଁ ଆତ୍ମହତ୍ୟା କରିଦେବି’, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଏମିତି କାହିଁକି କହିଥିଲେ ମନମୋହନ