ହାଇଦ୍ରାବାଦ: ଫିନଲ୍ୟାଣ୍ଡରେ ଉଚ୍ଚଶିକ୍ଷା ପାଇଁ ଯାଇଥିବା ହାଇଦ୍ରାବାଦର ଜଣେ ୧୮ ବର୍ଷୀୟ ଭାରତୀୟ ଛାତ୍ରଙ୍କର ରହସ୍ୟଜନକ ମୃତ୍ୟୁ ଘଟିଛି। ଗତ ଦୁଇ ମାସ ଧରି ନିଖୋଜ ଥିବା ଏହି ଛାତ୍ରଙ୍କ ମୃତଦେହ ଶନିବାର ଦିନ ସେଠାକାର ସମୁଦ୍ରରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ହେଲେ ମନିଦୀପ୍ ରେଡ୍ଡୀ। ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପରିବାର ଲୋକେ ଏହାକୁ ଏକ ସନ୍ଦେହଜନକ ମୃତ୍ୟୁ ବୋଲି ଦର୍ଶାଇ ସବିଶେଷ ତଦନ୍ତ ପାଇଁ ଦାବି କରିଛନ୍ତି।
କ୍ୟାମ୍ପସରୁ ନିଖୋଜ ଥିଲେ ମନିଦୀପ୍
ମନିଦୀପ୍ ଫିନଲ୍ୟାଣ୍ଡର ପ୍ରସିଦ୍ଧ 'ଲାପେନେରାଣ୍ଟା-ଲାହତି ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ' (LUT) ର ଲାହତି କ୍ୟାମ୍ପସରେ ସଫ୍ଟୱେର୍ ଓ ସିଷ୍ଟମ୍ ଇଞ୍ଜିନିୟରିଂରେ ସ୍ନାତକ (B.Tech) ପଢୁଥିଲେ। ଗତ ମେ ୫ ତାରିଖରେ ହେଲସିଙ୍କିର ଏକ ମଲ୍ରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା, ଯାହା ପରେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ।
ମେ ୫ରେ ହୋଇଥିଲା ଶେଷ କଥାବାର୍ତ୍ତା
ମନିଦୀପ୍ଙ୍କ ବାପା ଜି. ମୁଥ୍ୟମ୍ ରେଡ୍ଡୀଙ୍କ କହିବା ଅନୁସାରେ, ମେ ୫ ତାରିଖରେ ପୁଅ ସହ ତାଙ୍କର ଶେଷ ଥର ପାଇଁ କଥାବାର୍ତ୍ତା ହୋଇଥିଲା। ମନିଦୀପ୍ କିଛି ଟଙ୍କା ମାଗିବାରୁ ତାଙ୍କ ମାଆ ମମତା ଅନଲାଇନ୍ ମାଧ୍ୟମରେ ଟଙ୍କା ପଠାଇଥିଲେ। ମାତ୍ର ଟଙ୍କା ପାଇବା ପରେ ମନିଦୀପ୍ଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା ଏବଂ ପରିବାର ଲୋକଙ୍କ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ପରିବାର
ପୁଅର କୌଣସି ସନ୍ଧାନ ନମିଳିବାରୁ ରେଡ୍ଡୀ ପରିବାର ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଛାତ୍ରଙ୍କ ସନ୍ଧାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ଫିନଲ୍ୟାଣ୍ଡ ପୋଲିସ ପରିବାର ଲୋକଙ୍କୁ ସୂଚନା ଦେଇଥିଲା ଯେ, ମନିଦୀପ୍ ନିଜର ଜଣେ ବନ୍ଧୁଙ୍କ ସହ ରହୁଥିବା ସ୍ଥାନଠାରୁ ପ୍ରାୟ ୧୦୦ କିଲୋମିଟର ଦୂରକୁ ଯାଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବନ୍ଧୁମାନଙ୍କୁ ପଚରାଉଚରା କରାଯାଇଥିଲେ ମଧ୍ୟ କୌଣସି ସୁରାକ୍ ମିଳିନଥିଲା।
ଫିନଲ୍ୟାଣ୍ଡ ପୋଲିସର ଭୂମିକା ଉପରେ ପ୍ରଶ୍ନ
ରେଡ୍ଡୀ ପରିବାରର ଓକିଲ ଅଭିଯୋଗ କରିଛନ୍ତି ଯେ, ବାରମ୍ବାର ଇମେଲ୍ ଏବଂ ଫୋନ୍ କଲ୍ କରାଯାଇଥିଲେ ସୁଦ୍ଧା ମେ ୨୯ ତାରିଖ ପରେ ଫିନଲ୍ୟାଣ୍ଡ ପୋଲିସ ନିଜ ଆଡ଼ୁ ଯୋଗାଯୋଗ ବନ୍ଦ କରିଦେଇଥିଲା। ଦୁଇ ମାସ ପରେ ହଠାତ୍ ସମୁଦ୍ରରୁ ମୃତଦେହ ମିଳିବା ଏକ ସ୍ୱାଭାବିକ ଘଟଣା ନୁହେଁ। ଏହା ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ଥାଇପାରେ ବୋଲି ପରିବାର ସନ୍ଦେହ କରୁଛି। ତେଣୁ ଭାରତ ସରକାର ଏହି ମାମଲାରେ ହସ୍ତକ୍ଷେପ କରି ଫିନଲ୍ୟାଣ୍ଡ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାନ୍ତୁ ବୋଲି ମନିଦୀପ୍ଙ୍କ ପରିବାର ନିବେଦନ କରିଛନ୍ତି।