ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଛଅ ଦିନିଆ ଗସ୍ତର ଶେଷ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ଅକ୍ଲ୍ୟାଣ୍ଡସ୍ଥିତ ଗଭର୍ଣ୍ଣମେଣ୍ଟ ହାଉସରେ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ସ୍ୱାଗତ ସମାରୋହ ପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାର୍ତ୍ତାଳପ ହୋଇଥିଲା। ଏହି ସମୟରେ ବାଣିଜ୍ୟ, ବିନିଯୋଗ, ପ୍ରତିରକ୍ଷା ସହଯୋଗ, ହିନ୍ଦ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ୍) କ୍ଷେତ୍ର, କୃଷି ପ୍ରଯୁକ୍ତିବିଦ୍ୟା (Agri-Tech), କ୍ରୀଡ଼ା, ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି, ଅର୍ଥନୈତିକ ସହଭାଗିତା ଏବଂ ଜନସମ୍ପର୍କ ବୃଦ୍ଧି ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି।
ଭାରତ ଏବଂ ନ୍ୟୁଜିଲାଣ୍ଡ ନିଜର ସମ୍ପର୍କକୁ 'ଷ୍ଟ୍ରାଟେଜିକ୍ ପାର୍ଟନରସିପ୍' (ରଣନୈତିକ ସହଭାଗିତା) ସ୍ତରକୁ ବୃଦ୍ଧି କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଉଭୟ ଦେଶ ପାରସ୍ପରିକ ସ୍ୱାର୍ଥ ରହିଥିବା ସମସ୍ତ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ପ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ସମୟରେ ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) କୁ ଶୀଘ୍ର ଲାଗୁ କରିବା ଉପରେ ଜୋର ଦିଆଯାଇଥିଲା। ଉଭୟ ଦେଶ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
୧୦ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ସମୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ନିଜ ସମ୍ପର୍କକୁ ରଣନୈତିକ ସହଭାଗିତା ସ୍ତରକୁ ନେବା ପାଇଁ ଘୋଷଣା କରିଛନ୍ତି। ଉଭୟ ଦେଶ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ ନିରୋଧ, ପର୍ଯ୍ୟଟନ, ଦୁଗ୍ଧ ଉତ୍ପାଦନ (ଡେୟରୀ), କ୍ରୀଡ଼ା, ସଂସ୍କୃତି ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହାସହ ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ଦ୍ୱିଗୁଣିତ କରି ୭ ବିଲିୟନ ନ୍ୟୁଜିଲାଣ୍ଡ ଡଲାର (ପ୍ରାୟ ୩୫ ହଜାର କୋଟି ଟଙ୍କା)ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।
ସାମୁଦ୍ରିକ ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗ ଉପରେ ଜୋର
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ଉପସ୍ଥିତିରେ ହୋଇଥିବା ଚୁକ୍ତିନାମା ଗୁଡ଼ିକ ମଧ୍ୟରେ ଇଣ୍ଡୋ-ପ୍ୟାସିଫିକ୍ ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗ ଉପରେ ସବୁଠାରୁ ଅଧିକ ଜୋର ଦିଆଯାଇଛି। ଦୁଇ ଦେଶ ମଧ୍ୟରେ ପ୍ରଥମ ଥର ପାଇଁ 'Maritime Cooperation Arrangement' ଏବଂ 'Mutual Logistics Support Arrangement' ଉପରେ ସହମତି ପ୍ରକାଶ ପାଇଛି। ଏହା ଅଧୀନରେ ଭାରତୀୟ ନୌସେନା ଏବଂ ନ୍ୟୁଜିଲାଣ୍ଡ ଡିଫେନ୍ସ ଫୋର୍ସ ପରସ୍ପରକୁ ଲଜିଷ୍ଟିକ୍ସ (ଯୋଗାଣ ଓ ପରିବହନ) ସହାୟତା ଯୋଗାଇ ଦେଇପାରିବେ। ଏଥିସହ ସାମୁଦ୍ରିକ ସୁରକ୍ଷା ଉପରେ ନିୟମିତ ଆଲୋଚନା ଆରମ୍ଭ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ ଦ୍ୱିଗୁଣିତ କରିବା ସହ ଆତଙ୍କବାଦ ବିରୋଧୀ ଲଢ଼େଇ
ଆତଙ୍କବାଦ ବିରୋଧରେ ସହଯୋଗ ବୃଦ୍ଧି ପାଇଁ ଦୁଇ ଦେଶ ଏକ 'ଜଏଣ୍ଟ ୱର୍କିଂ ଗ୍ରୁପ୍ ଅନ୍ କାଉଣ୍ଟର ଟେରରିଜିମ୍' (Joint Working Group on Counter Terrorism) ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ଗୁପ୍ତଚର ସୂଚନା ଆଦାନପ୍ରଦାନ ଏବଂ ଆତଙ୍କବାଦ ବିରୋଧୀ ରଣନୀତି ଉପରେ ସମନ୍ୱୟ ରକ୍ଷା କରାଯିବ। ଅନ୍ୟପଟେ ବାଣିଜ୍ୟ ଏବଂ ବିନିଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଦୁଇ ଦେଶ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଅଧୀନରେ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସରକାରଙ୍କ ବିଶ୍ୱାସ ଯେ ଏହା ଦ୍ୱାରା ଦୁଇ ଦେଶର ଶିଳ୍ପଗୁଡ଼ିକୁ ନୂଆ ବଜାର ମିଳିବ ଏବଂ ପୁଞ୍ଜିନିବେଶ ବୃଦ୍ଧି ପାଇବ।
କୃଷି କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
କୃଷି କ୍ଷେତ୍ରରେ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭାରତ ଏବଂ ନ୍ୟୁଜିଲାଣ୍ଡ 'କିୱି ଫ୍ରୁଟ୍ ଆକ୍ସନ ପ୍ଲାନ' (Kiwi Fruit Action Plan) ଲଞ୍ଚ କରିବାକୁ ଘୋଷଣା କରିଛନ୍ତି। ଏହା ଅଧୀନରେ ଉତ୍ତରାଖଣ୍ଡ ଏବଂ ନାଗାଲାଣ୍ଡରେ ଦୁଇଟି 'ସେଣ୍ଟର ଅଫ୍ ଏକ୍ସଲେନ୍ସ' ସ୍ଥାପନ କରାଯିବ। ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ବୈଷୟିକ ସହଯୋଗ ବୃଦ୍ଧି କରିବାକୁ ସହମତି ହୋଇଛି।
ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (NDMA) ଏବଂ ନ୍ୟୁଜିଲାଣ୍ଡର ନ୍ୟାସନାଲ ଏମରଜେନ୍ସି ମ୍ୟାନେଜମେଣ୍ଟ ଏଜେନ୍ସି (NEMA) ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଦୁଇ ଦେଶ ଭୂକମ୍ପ, ସୁନାମି ଏବଂ ଉପକୂଳବର୍ତ୍ତୀ ବିପର୍ଯ୍ୟୟର ମୁକାବିଲା ପାଇଁ ଅଭିଜ୍ଞତା ଓ ପ୍ରଯୁକ୍ତିବିଦ୍ୟା ଆଦାନପ୍ରଦାନ କରିବେ।
ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି
ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ଗୋଆସ୍ଥିତ 'ନ୍ୟାସନାଲ ସେଣ୍ଟର ଫର୍ ପୋଲାର ଆଣ୍ଡ ଓସନ୍ ରିସର୍ଚ୍ଚ' ଏବଂ 'ୟୁନିଭର୍ସିଟି ଅଫ୍ କ୍ୟାଣ୍ଟରବରୀ' ମିଳିତ ଭାବେ ଆଣ୍ଟାର୍କଟିକା ଗବେଷଣାରେ କାମ କରିବେ। ସେହିପରି NIFTEM ଏବଂ ମ୍ୟାସି ୟୁନିଭର୍ସିଟି ମଧ୍ୟରେ ଖାଦ୍ୟ ପ୍ରଯୁକ୍ତିବିଦ୍ୟା, ଗବେଷଣା ଏବଂ ଛାତ୍ର ବିନିମୟ କୁ ନେଇ ସହମତି ପ୍ରକାଶ ପାଇଛି।
ନ୍ୟୁଜିଲାଣ୍ଡ 'ଗ୍ଲୋବାଲ ବାୟୋଫ୍ୟୁଏଲ୍ସ ଆଲାଏନ୍ସ' (Global Biofuels Alliance) ରେ ସାମିଲ ହେବାକୁ ମଧ୍ୟ ଘୋଷଣା କରିଛି। ଏହା ବ୍ୟତୀତ ଗୁଜରାଟର ଲୋଥାଲ୍ଠାରେ ଥିବା 'ନ୍ୟାସନାଲ ମ୍ୟାରିଟାଇମ୍ ହେରିଟେଜ୍ କମ୍ପ୍ଲେକ୍ସ'ର ବିକାଶରେ ମଧ୍ୟ ନ୍ୟୁଜିଲାଣ୍ଡ ସହଯୋଗ କରିବ।
ମୁଖ୍ୟ ନିଷ୍ପତ୍ତି ସମୂହ:
• ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କ 'ଷ୍ଟ୍ରାଟେଜିକ୍ ପାର୍ଟନରସିପ୍' (ରଣନୈତିକ ସହଭାଗିତା) କୁ ଅପ୍ଗ୍ରେଡ୍ ହେଲା।
• ପ୍ରତିରକ୍ଷା ଏବଂ ସାମୁଦ୍ରିକ ସୁରକ୍ଷା ଉପରେ ତିନୋଟି ବଡ଼ ଚୁକ୍ତି।
• ଆତଙ୍କବାଦ ପ୍ରସଙ୍ଗରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ (JWG) ଗଠନ ହେବ।
• ୨୦୩୦ ସୁଦ୍ଧା ୭ ବିଲିୟନ ନ୍ୟୁଜିଲାଣ୍ଡ ଡଲାର ବାଣିଜ୍ୟର ଲକ୍ଷ୍ୟ।
• ଉତ୍ତରାଖଣ୍ଡ ଏବଂ ନାଗାଲାଣ୍ଡରେ 'କିୱିଫ୍ରୁଟ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ'।
• ନ୍ୟୁଜିଲାଣ୍ଡ 'ଗ୍ଲୋବାଲ ବାୟୋଫ୍ୟୁଏଲ୍ସ ଆଲାଏନ୍ସ'ରେ ସାମିଲ ହେବ।
• ଆଣ୍ଟାର୍କଟିକା ଗବେଷଣା ଏବଂ ଖାଦ୍ୟ ପ୍ରଯୁକ୍ତିବିଦ୍ୟାରେ ସହଯୋଗ ବୃଦ୍ଧି ପାଇବ।
• ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ସହ ବହୁପାକ୍ଷିକ ମଞ୍ଚରେ ସହଯୋଗ ବୃଦ୍ଧି ପାଇଁ ସହମତି।
• ଦୁଇ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅନେକ MoU ଏବଂ ଚୁକ୍ତିନାମା ଆଦାନପ୍ରଦାନ।
• ଏହି ଚୁକ୍ତିଗୁଡ଼ିକ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ହାଇଡ୍ରୋଗ୍ରାଫି, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଡେୟରୀ, ପର୍ଯ୍ୟଟନ, ସାମୁଦ୍ରିକ ଐତିହ୍ୟ, ସଂସ୍କୃତି, ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ସାମୁଦ୍ରିକ ଅନୁସନ୍ଧାନ ସହିତ ଜଡ଼ିତ।
ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି (FTA)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲାଣ୍ଡ ପିଏମ୍ କ୍ରିଷ୍ଟୋଫର ଲକ୍ସନଙ୍କ ସହ ବଛାବଛା ସିଇଓ (CEOs) ଏବଂ ବ୍ୟବସାୟିକ ନେତାମାନଙ୍କ ସହ ଆଲୋଚନା କରିଥିଲେ। ପିଏମ୍ ମୋଦୀ କହିଛନ୍ତି ଯେ ଭାରତ ଏବଂ ନ୍ୟୁଜିଲାଣ୍ଡ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ, ବିବିଧତା ଏବଂ ସ୍ଥାୟୀ ବିକାଶର ସାଧାରଣ ନୀତି ଦ୍ୱାରା ପରସ୍ପର ସହ ଜଡ଼ିତ, ଯାହା ମଜବୁତ ଅର୍ଥନୈତିକ ସହଭାଗିତାର ମୂଳଦୁଆ ଅଟେ। ପ୍ରଧାନମନ୍ତ୍ରୀ ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) କୁ ଦୁଇ ଦେଶର ଅର୍ଥନୈତିକ ସମ୍ପର୍କ ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ FTA ଦ୍ୱାରା ବଜାର ପ୍ରବେଶ, ପୁଞ୍ଜିନିବେଶ, ସେବା, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିଭା ସ୍ଥାନାନ୍ତର (Talent Mobility) ର ନୂଆ ସୁଯୋଗ ସୃଷ୍ଟି ହେବ।
ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଯୁବ ଏବଂ କୁଶଳୀ କାର୍ଯ୍ୟବଳ, ବଢ଼ୁଥିବା ମଧ୍ୟମ ବର୍ଗ, ଡିଜିଟାଲ ବିପ୍ଳବ, ଆଧୁନିକ ଭିତ୍ତିଭୂମି ଏବଂ ଅର୍ଥନୈତିକ ସୁଧାରକୁ ପୁଞ୍ଜିନିବେଶର ଏକ ବଡ଼ ସୁଯୋଗ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଭାରତର ରାଜନୈତିକ ସ୍ଥିରତା ଏବଂ ନିରନ୍ତର ବିକାଶ ତାକୁ ବୈଶ୍ୱିକ ଅର୍ଥନୈତିକ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ୍ରେ ପରିଣତ କରୁଛି।
ନିବେଶ ପାଇଁ ନିମନ୍ତ୍ରଣ କଲେ ପିଏମ୍ ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁଜିଲାଣ୍ଡର ନିବେଶକମାନଙ୍କୁ ଭାରତର ଭିତ୍ତିଭୂମି (ଇନଫ୍ରାଷ୍ଟ୍ରକଚର), ବେସାମରିକ ବିମାନ ଚଳାଚଳ (ସିଭିଲ୍ ଏଭିଏସନ), ଲଜିଷ୍ଟିକ୍ସ, ସ୍ୱଚ୍ଛ ଶକ୍ତି, ସହରୀ ପରିବହନ, ଜଳ ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଡିଜିଟାଲ୍ ଅର୍ଥନୀତିରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି। ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ ବିଷୟରେ ଉଲ୍ଲେଖ କରି ସେ ଇନୋଭେସନ, ଫିନଟେକ୍ ଏବଂ ନୂତନ ପ୍ରଯୁକ୍ତିବିଦ୍ୟାରେ ବେସରକାରୀ କ୍ଷେତ୍ର ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଦୁଗ୍ଧ ବିଜ୍ଞାନ (ଡେୟରୀ ସାଇନ୍ସ), ବଗିଚା ଚାଷ (ବାଗବାନୀ) ଏବଂ ଜଙ୍ଗଲ ପ୍ରକଳ୍ପରେ ନ୍ୟୁଜିଲାଣ୍ଡର ଅଭିଜ୍ଞତା ଏବଂ ଭାରତର ବିଶାଳ ଗ୍ରାହକ ବଜାର, ଫୁଡ୍ ପାର୍କ ଏବଂ ଏଗ୍ରି-ଟେକ୍ କ୍ଷମତାକୁ ମିଶାଇ ଏକ ବୈଶ୍ୱିକ 'ଫୁଡ୍ ଭାଲ୍ୟୁ ଚେନ୍' ବିକଶିତ କରାଯାଇପାରିବ।
ଉଭୟ ଦେଶ ୨୦Custom ୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୭ ବିଲିୟନ ନ୍ୟୁଜିଲାଣ୍ଡ ଡଲାର (ପ୍ରାୟ ୩୫,୦0୦ କୋଟି ଟଙ୍କା) ପର୍ଯ୍ୟନ୍ତ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ-ନ୍ୟୁଜିଲାଣ୍ଡ ଅର୍ଥନୈତିକ ସହଭାଗିତା ସମାବେଶୀ ଏବଂ ସ୍ଥାୟୀ ବାଣିଜ୍ୟର ଏକ ବୈଶ୍ୱିକ ମଡେଲ୍ ହୋଇପାରିବ, ଯାହା ନବସୃଜନ ଓ ସମୃଦ୍ଧିକୁ ପ୍ରୋତ୍ସାହିତ କରିବ।
ଆତଙ୍କବାଦର କଡ଼ା ନିନ୍ଦା
ଭାରତ ଏବଂ ନ୍ୟୁଜିଲାଣ୍ଡ ପକ୍ଷରୁ ଏକ ମିଳିତ ବିବୃତି ଜାରି କରାଯାଇଛି। ଏହି ସମୟରେ ଦୁଇ ପ୍ରଧାନମନ୍ତ୍ରୀ ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସେମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଲାଲକିଲ୍ଲା ନିକଟରେ ଘଟିଥିବା ଆତଙ୍କବାଦୀ ଘଟଣାର ମଧ୍ୟ ନିନ୍ଦା କରିଛନ୍ତି। ଆତଙ୍କବାଦ ପ୍ରତି 'ଜିରୋ-ଟଲରାନ୍ସ' (ଶୂନ୍ୟ ସହନଶୀଳତା) ଏବଂ ନିରନ୍ତର ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ ସେମାନେ ଗୁରୁତ୍ୱ ଦେଇଛନ୍ତି। ଏହାସହ ଆତଙ୍କବାଦକୁ ମିଳୁଥିବା ଆର୍ଥିକ ସହାୟତା (ଫଣ୍ଡିଂ) ନେଟୱର୍କ ଓ ସେମାନଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଧ୍ୱଂସ କରିବା, ଅନଲାଇନ୍ ସମେତ ଆତଙ୍କବାଦୀ ଭିତ୍ତିଭୂମିକୁ ଭାଙ୍ଗିବା ଏବଂ ଆତଙ୍କବାଦୀମାନଙ୍କୁ ଶୀଘ୍ର ଦଣ୍ଡ ଦେବାକୁ ଆହ୍ୱାନ ଦେଇଛନ୍ତି।
ଆତଙ୍କବାଦ ବିରୋଧରେ ଏକଜୁଟ୍
ଦୁଇ ନେତା ଆତଙ୍କବାଦ ଏବଂ ହିଂସାତ୍ମକ ଚରମପନ୍ଥାର ମୁକାବିଲା ପାଇଁ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ସେମାନେ ଆତଙ୍କବାଦ ବିରୋଧୀ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ (JWG) ଗଠନ ପାଇଁ ଚୁକ୍ତିନାମା (MoA) ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି, ଯାହା ସୂଚନା ଏବଂ ଜ୍ଞାନ ଆଦାନପ୍ରଦାନ ପାଇଁ ଏକ ଢାଞ୍ଚା ପ୍ରସ୍ତୁତ କରିବ। ଦୁଇ ନେତା ମିଳିତ ଜାତିସଂଘ (UN) ଏବଂ ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ (FATF) ଭଳି ବହୁପାକ୍ଷିକ ମଞ୍ଚରେ ସହଯୋଗ ବୃଦ୍ଧି କରିବାକୁ ନିଜର ସଙ୍କଳ୍ପ ଦୋହରାଇଛନ୍ତି।
ଦୁଇ ନେତା ଗୁରୁତ୍ୱ ଦେଇଛନ୍ତି ଯେ ସମସ୍ତ ଦେଶ ମିଳିତ ଜାତିସଂଘ ଦ୍ୱାରା ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଏବଂ ବ୍ୟକ୍ତିବିଶେଷ – ଯେଉଁଥିରେ UNSC ୧୨୬୭ ପ୍ରତିବନ୍ଧକ କମିଟିର ତାଲିକାରେ ଅନ୍ତର୍ଭୁକ୍ତ ସଂଗଠନ ଏବଂ ବ୍ୟକ୍ତି, ଏବଂ ସେମାନଙ୍କର ସହଯୋଗୀ, ପ୍ରକ୍ସି, ପ୍ରାୟୋଜକ, ଆର୍ଥିକ ସହାୟତା ପ୍ରଦାନକାରୀ ଏବଂ ସମର୍ଥକ ସାମିଲ ଅଛନ୍ତି, ସେମାନଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।