ନୂଆଦିଲ୍ଲୀ: ଅଯୋଧ୍ୟାର ବାବ୍ରି ମସଜିଦ ବିବାଦର ଅନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରା ହୋଇଥିଲା । ଠିକ୍ ଏମିତି ଅନେକ ବିବାଦୀୟ ମାମଲା ରହିଛି ଯାହାକୁ ନେଇ ହିନ୍ଦୁ ଓ ମୁସଲିମ ପକ୍ଷଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି । ଏହି କ୍ରମରେ ସୁପ୍ରିମକୋର୍ଟ ସମ୍ଭଲ, ମଥୁରା ଓ ବାରାଣସୀର ଜ୍ଞାନବାପୀ ମସଜିଦକୁ ନେଇ ପ୍ରସ୍ତାବ ଦେଇଛନ୍ତି ଯେ, ହିନ୍ଦୁ-ମୁସଲିମ ପକ୍ଷ ମଧ୍ୟସ୍ଥତା ଜରିଆରେ ସମାଧାନର ରାସ୍ତା ବାହାର କରନ୍ତୁ । ହେଲେ ଦୁଇ ପକ୍ଷ ଏହା ଉପରେ ଅସହମତି ପ୍ରକାଶ କରିଛନ୍ତି । ଦୁଇ ପକ୍ଷ କହିଛନ୍ତି ଯେ, ଜଟିଳ ଆଇନଗତ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଅଦାଲତ ହିଁ ଏହାର ଶୁଣାଣି କରନ୍ତୁ ।
ସୁପ୍ରିମକୋର୍ଟ ଅଗଷ୍ଟ ୨୧ରୁ ୨୩ ମଧ୍ୟରେ ‘ସମାଧାନ ସମାରୋହ’ ନାମରେ ଆୟୋଜିତ ଲୋକ ଅଦାଲତ କାର୍ଯ୍ୟକ୍ରମ ପାଇଁ ଏହି ମାମଲାର ପକ୍ଷକାରଙ୍କୁ ମଧ୍ୟ ନୋଟିସ୍ ପଠାଇଥିଲେ । ମାତ୍ର ସମସ୍ତ ପକ୍ଷ ଏଥିରେ ଅସହମତି ପ୍ରକାଶ କରିଛନ୍ତି । ସମାଧାନ ସମାରୋହରେ ସୁପ୍ରିମକୋର୍ଟରେ ବିଚାରଧୀନ ହଜାର ସଂଖ୍ୟକ କେସର ସମାଧାନ କରାଯାଏ । ଏଥିରେ ପରସ୍ପର ଆଲୋଚନା ଓ ସହମତି ଭିତ୍ତିରେ ଅନେକ କେସର ସମାଧାନ ମଧ୍ୟ ହୋଇଛି । ଏଥିପାଇଁ ସମଗ୍ର ଦେଶର ପକ୍ଷକାରଙ୍କୁ ସୂଚନା ପଠା ଯାଇଥାଏ । ଏହି ଆଧାରରେ ମନ୍ଦିର-ମସଜିଦ ବିବାଦର ପକ୍ଷକାରଙ୍କୁ ମଧ୍ୟ ନୋଟିସ୍ ପଠାଯାଇଥିଲା ।
ଜ୍ଞାନବାପୀ ମସଜିଦ୍ ବିବାଦ (କାଶୀ)
ବାରାଣସୀର ଜ୍ଞାନବାପୀ ମସଜିଦ୍ ବିବାଦ ଏବେ କୋର୍ଟରେ ବିଚାରାଧୀନ ରହିଛି। ଏହି ପରିସରର ପ୍ରକୃତ ଧାର୍ମିକ ସ୍ୱରୂପକୁ ନେଇ ହିନ୍ଦୁ ଓ ମୁସଲିମ୍ ପକ୍ଷ ମଧ୍ୟରେ ଦୀର୍ଘ ଦିନ ହେବ ଆଇନଗତ ବିବାଦ ଚାଲିଛି।
ହିନ୍ଦୁ ପକ୍ଷର ଦାବି: ହିନ୍ଦୁ ପକ୍ଷ ଅନୁସାରେ, ୧୭ଶ ଶତାବ୍ଦୀରେ ମୁଗଲ ଶାସକ ଆଉରଙ୍ଗଜେବଙ୍କ ନିର୍ଦ୍ଦେଶରେ ଏଠାରେ ଥିବା ପ୍ରାଚୀନ କାଶୀ ବିଶ୍ୱନାଥ ମନ୍ଦିରର ଏକ ଅଂଶକୁ ଭାଙ୍ଗି ମସଜିଦ୍ ନିର୍ମାଣ କରାଯାଇଥିଲା। ଏହା ସହିତ ସୋମନାଥ ବ୍ୟାସଙ୍କ ପରିବାର ଦ୍ୱାରା ୧୯୯୩ ମସିହା ପର୍ଯ୍ୟନ୍ତ ମସଜିଦ୍ର ତଳଘରେ ନିୟମିତ ପୂଜାପାଠ କରାଯାଉଥିଲା ବୋଲି ହିନ୍ଦୁ ପକ୍ଷ ଦାବି କରିଛି।
ମୁସଲିମ୍ ପକ୍ଷର ଯୁକ୍ତି: ଅପରପକ୍ଷରେ ମୁସଲିମ୍ ସମୁଦାୟ ଏହି ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନଙ୍କ କହିବା କଥା ହେଲା, ଏହି ସ୍ଥାନ ଉପରେ ସବୁବେଳେ ମୁସଲମାନମାନଙ୍କର ଅଧିକାର ରହିଆସିଛି ଏବଂ ଆଉରଙ୍ଗଜେବଙ୍କ ଶାସନ କାଳ ପୂର୍ବରୁ ହିଁ ଏହି ମସଜିଦ୍ ସେଠାରେ ବିଦ୍ୟମାନ ଥିଲା।
୨. ମଥୁରା କୃଷ୍ଣ ଜନ୍ମଭୂମି ବିବାଦ
ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହୀ ଇଦ୍ଗାହ ମସଜିଦ୍ର ସୀମାକୁ ନେଇ ମଥୁରାରେ ଆଇନଗତ ଲଢ଼େଇ ଚାଲିଛି। ଭଗବାନ ଶ୍ରୀକୃଷ୍ଣ ବିରାଜମାନ ଏବଂ କିଛି ଶ୍ରଦ୍ଧାଳୁଙ୍କ ପକ୍ଷରୁ ସିଭିଲ୍ କୋର୍ଟରେ ଏକ ମାମଲା ରୁଜୁ କରାଯାଇଛି।
ହିନ୍ଦୁ ପକ୍ଷର ଦାବି: ହିନ୍ଦୁ ପକ୍ଷର ଯାଚିକା ଅନୁସାରେ, ବର୍ତ୍ତମାନ ଯେଉଁଠାରେ ଶାହୀ ଇଦ୍ଗାହ ମସଜିଦ୍ ରହିଛି, ତାହା ପ୍ରକୃତରେ ଭଗବାନ ଶ୍ରୀକୃଷ୍ଣଙ୍କ ମୂଳ ଜନ୍ମସ୍ଥାନର ଜମି। ମସଜିଦ୍ ପରିସରରେ ଏଭଳି ଅନେକ ପ୍ରାଚୀନ ସଂକେତ ଓ ପ୍ରମାଣ ରହିଛି ଯାହା ଏହା ଏକ ହିନ୍ଦୁ ମନ୍ଦିର ଥିଲା ବୋଲି ଦର୍ଶାଉଛି। ତେଣୁ ମସଜିଦ୍କୁ ସେହି ସ୍ଥାନରୁ ହଟାଇବାକୁ ଦାବି ହୋଇଛି।
କୋର୍ଟଙ୍କ ଆଭିମୁଖ୍ୟ: ୨୦୨୦ ସେପ୍ଟେମ୍ବର ମାସରେ ସିଭିଲ୍ କୋର୍ଟ 'ପୂଜାପାଠ ଆଇନ ୧୯୯୧' (Places of Worship Act) ର ଦ୍ୱାହି ଦେଇ ଏହି ଆବେଦନକୁ ଖାରଜ କରିଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ମଥୁରା ଜିଲ୍ଲା ଅଦାଲତରେ ଅପିଲ୍ କରାଯିବା ପରେ ଏହି ନିଷ୍ପତ୍ତି ବଦଳି ଯାଇଥିଲା ଏବଂ ମାମଲାର ଶୁଣାଣି ପାଇଁ କୋର୍ଟ ଅନୁମତି ଦେଇଥିଲେ।
୩. ସମ୍ଭଲ ଜାମା ମସଜିଦ୍ ବିବାଦ (ଉତ୍ତର ପ୍ରଦେଶ)
ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଥିବା ପ୍ରାଚୀନ ଶାହୀ ଜାମା ମସଜିଦ୍କୁ ନେଇ ନିକଟରେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି, ଯାହା ହିଂସାର ରୂପ ନେଇଥିଲା।
ସର୍ଭେ ନିର୍ଦ୍ଦେଶ ଓ ବିବାଦ: ଗତ ୧୯ ନଭେମ୍ବର ୨୦୨୪ରେ ସମ୍ଭଲର ଏକ ସିଭିଲ୍ କୋର୍ଟ ଜାମା ମସଜିଦ୍ ପରିସରର ଭିଡିଓଗ୍ରାଫି ଓ ସର୍ଭେ କରିବା ପାଇଁ ଏକ ଆଡଭୋକେଟ୍ କମିଶନ ଗଠନ କରି ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ହିଂସାକାଣ୍ଡ ଓ କ୍ଷୟକ୍ଷତି: ୨୪ ନଭେମ୍ବରରେ ଯେତେବେଳେ ତଦନ୍ତକାରୀ ଦଳ ଦ୍ୱିତୀୟ ସର୍ଭେ ପାଇଁ ଚନ୍ଦୌସୀ ସହର ସ୍ଥିତ ମସଜିଦ୍ ପରିସରରେ ପହଞ୍ଚିଲେ, ସେତେବେଳେ ସେଠାରେ ବିକ୍ଷୋଭ ପ୍ରଦର୍ଶନକାରୀ ଏବଂ ପୋଲିସ ମଧ୍ୟରେ ପ୍ରବଳ ସଂଘର୍ଷ ଘଟିଥିଲା। ପଥରମାଡ଼ ଏବଂ ଗାଡ଼ି ପୋଡ଼ାଜଳା ଭଳି ହୋଇଥିବା ଏହି ଭୟଙ୍କର ହିଂସାରେ ୪ ଜଣ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା।