ପାଟନା: ବିହାରର ଚର୍ଚ୍ଚିତ ଶିକ୍ଷାବିତ୍ ତଥା ଲୋକପ୍ରିୟ ୟୁଟ୍ୟୁବର ଫୈସଲ ଖାନ୍ ଓରଫ ‘ଖାନ୍ ସାର୍’ଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ପାଟନାର ଏକ କୋଚିଂ ସେଣ୍ଟର ବାହାରେ ହୋଇଥିବା ଗୁଳିକାଣ୍ଡ ଓ ଭଙ୍ଗାରୁଜା ମାମଲାରେ ସେଲିବ୍ରିଟି ଶିକ୍ଷକ ଖାନ୍ ସାର୍ଙ୍କୁ ପାଟନା ସିଭିଲ୍ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଏହା ସହିତ କୋର୍ଟ ତାଙ୍କର ଦୁଇଜଣ ବଡିଗାର୍ଡଙ୍କୁ ମଧ୍ୟ ଜାମିନ ମଞ୍ଜୁର କରିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଖାନ୍ ସାର୍ଙ୍କ ଗିରଫଦାରୀ ଉପରେ ଲାଗିଥିବା କଟକଣା ଏବେ ସ୍ଥାୟୀ ରୂପ ନେଇଛି।
କଣ ଥିଲା ପୂରା ଘଟଣା ?
ଗତ ଜୁନ୍ ୨ ତାରିଖ ବିଳମ୍ବିତ ରାତିରେ ପାଟନାର ମୁସଲ୍ଲାପୁର ହାଟ ଅଞ୍ଚଳରେ ଥିବା ଖାନ୍ ସାର୍ଙ୍କ କୋଚିଂ ଇନଷ୍ଟିଚ୍ୟୁଟ୍ ‘ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍’ ବାହାରେ କିଛି ଦୁର୍ବୃତ୍ତ ପଥରମାଡ଼ ଓ ଭଙ୍ଗାରୁଜା କରିବା ସହ ପରିସ୍ଥିତି ଅଣାୟତ୍ତ କରିଥିଲେ। ଏହି ହଙ୍ଗାମା ସମୟରେ ନିଜର ଆତ୍ମରକ୍ଷାପାଇଁ ଖାନ୍ ସାର୍ଙ୍କ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିବା କୁହାଯାଇଥିଲା।
ଏହି ଘଟଣା ପରେ ପାଟନାର କଦମକୁଆଁ ଥାନାରେ ହତ୍ୟା ଉଦ୍ୟମ ଏବଂ ଆର୍ମସ ଆକ୍ଟ ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିଲା। ଏହି ଏଫ୍ଆଇଆର୍ରେ ଅନ୍ୟ କୋଚିଂ ସେଣ୍ଟରର ମାଲିକ ରୋଶନ ଆନନ୍ଦଙ୍କ ଅଭିଯୋଗ ଆଧାରରେ ଖାନ୍ ସାର୍ଙ୍କ ନାମ ମଧ୍ୟ ସାମିଲ କରାଯାଇଥିଲା। ଏହା ପରେ ଖାନ୍ ସାର୍ଙ୍କ ସୁରକ୍ଷାକର୍ମୀମାନଙ୍କୁ ଗିରଫ କରାଯାଇ ବେଉର ଜେଲ୍କୁ ପଠାଯାଇଥିବା ବେଳେ ଖାନ୍ ସାର୍ ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
କୋର୍ଟରେ ହୋଇଥିଲା ଜୋରଦାର ଯୁକ୍ତିତର୍କ
ଖାନ୍ ସାର୍ଙ୍କ ଓକିଲ ଅରବିନ୍ଦ କୁମାର ମୌଆର କୋର୍ଟରେ ପକ୍ଷ ରଖି କହିଥିଲେ ଯେ, ଘଟଣା ଦିନ ଖାନ୍ ସାର୍ ସେଠାରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ନଥିଲେ। ତାଙ୍କୁ ବଦନାମ କରିବା ପାଇଁ ଏବଂ ବ୍ୟବସାୟିକ ଶତ୍ରୁତା ରଖି ଏହି ଷଡ଼ଯନ୍ତ୍ର କରାଯାଇଛି। ସେ ପୋଲିସର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଅପରପକ୍ଷରେ, ଅଭିଯୋଗକାରୀଙ୍କ ଓକିଲ ଖାନ୍ ସାର୍ଙ୍କ ପୁରୁଣା ଅପରାଧିକ ରେକର୍ଡକୁ ନେଇ ଆପତ୍ତି ଉଠାଇଥିଲେ ମଧ୍ୟ କୋର୍ଟ ସମସ୍ତ ଦିଗକୁ ଅନୁଧ୍ୟାନ କରି ଜାମିନ ଆବେଦନକୁ ଗ୍ରହଣ କରିଛନ୍ତି।
Also Read: ଦିଲ୍ଲୀରେ ରକ୍ତର ଖେଳ: ପ୍ରେମ ସମ୍ପର୍କ ନେଇ ନାବାଳକଙ୍କୁ ଛୁରି ଭୁସି ହତ୍ୟା; ଦୁଇଜଣ ଗିରଫ