ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଏକ ଭୟଙ୍କର ଯୁଦ୍ଧର ରୂପ ନେଇଛି। ଆମେରିକା ପକ୍ଷରୁ ଇରାନର ୬ଟି ପ୍ରଦେଶ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି ତେହେରାନ। ସୋମବାର ଇରାନ ସେନା ମିଡିଲ୍ ଇଷ୍ଟରେ ଥିବା ତିନୋଟି ବଡ଼ ଆମେରିକୀୟ ସୈନ୍ୟ ଘାଟିକୁ ଟାର୍ଗେଟ୍ କରି ଜବାବୀ ହମଲା କରିଛି। ଇରାନ ପକ୍ଷରୁ କୁଏତ, ବାହାରିନ ଏବଂ ଜର୍ଡାନ ଉପରେ ଆଧୁନିକ ମିଶାଇଲ୍ ଓ ଆତ୍ମଘାତୀ ଡ୍ରୋନ୍ ସାହାଯ୍ୟରେ ଏହି ମାରାତ୍ମକ ଆକ୍ରମଣ କରାଯାଇଛି, ଯାହା ସମଗ୍ର ମଧ୍ୟ-ପ୍ରାଚ୍ୟକୁ ଥରାଇ ଦେଇଛି ।
ଇରାନର ଶକ୍ତିଶାଳୀ ସେନା ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (IRGC) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଆମେରିକାକୁ ଚେତାବନୀ ଦେଇ ଇରାନ କହିଛି ଯେ, କୁଏତ, ବାହାରିନ ଏବଂ ଜର୍ଡାନରେ ଥିବା ୟୁଏସ୍ ଆଡ୍ଡା ଉପରେ ସଫଳ ହମଲା କରାଯାଇଛି। ଜର୍ଡାନରେ ଥିବା ‘ପ୍ରିନ୍ସ ହସନ ଏୟାରବେସ୍’ର ଫ୍ୟୁଏଲ୍ ଟ୍ୟାଙ୍କ ଏବଂ ମିଶାଇଲ୍ ଡିପୋକୁ ଇରାନ ଆକ୍ରମଣ କରିଛି। ବାହାରିନରେ ସକ୍ରିୟ ଥିବା ଆମେରିକାର ହାଇଟେକ୍ ‘ଡ୍ରୋନ୍ କମାଣ୍ଡ ସେଣ୍ଟର’ ଉପରେ ଇରାନ ବୋମା ବର୍ଷଣ କରି ଏହାକୁ ଛାରଖାର କରିଦେଇଛି।
ଇରାନର ଶୀର୍ଷ ନେତୃତ୍ୱ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଆମେରିକା ନିଜର ଆକ୍ରମଣ ବନ୍ଦ ନକରେ, ତେବେ ଆଗାମୀ ଦିନରେ ଏହାର ସମସ୍ତ ସାମରିକ ଘାଟିକୁ ସମ୍ପୂର୍ଣ୍ଣ ଧୂଳିସାତ କରିଦିଆଯିବ।ଇରାନର ଏହି ବଡ଼ ଆକ୍ରମଣ ପରେ ଜର୍ଡାନ ଏବଂ କୁଏତ ନିଜର ଏୟାର ଡିଫେନ୍ସ ସିଷ୍ଟମକୁ ସକ୍ରିୟ କରିଦେଇଛନ୍ତି। ଜର୍ଡାନ ଦାବି କରିଛି ଯେ, ଇରାନ ପକ୍ଷରୁ ମାଡ଼ ହୋଇଥିବା ମିଶାଇଲ୍ ଗୁଡ଼ିକ ମଧ୍ୟରୁ ୪ଟି ଶକ୍ତିଶାଳୀ ମିଶାଇଲ୍କୁ ସେମାନେ ଆକାଶ ମାର୍ଗରେ ହିଁ ନଷ୍ଟ କରିଦେଇଛନ୍ତି।
୩ ଦିନରେ ୩୦୦ରୁ ଅଧିକ ଆକ୍ରମଣ କଲାଣି ଆମେରିକା
ସେପଟେ ଆମେରିକା ମଧ୍ୟ ପଛକୁ ହଟିବା ମୁଡ୍ରେ ନାହିଁ। ‘ଫକ୍ସ ନ୍ୟୁଜ୍’ର ରିପୋର୍ଟ ଅନୁସାରେ, ଆମେରିକୀୟ ସେନା ଗତ ଗୋଟିଏ ରାତିରେ ପ୍ରାୟ ୧୪୦ଟି ଇରାନୀ ସାମରିକ ଘାଟି ଉପରେ ବୋମାମାଡ଼ କରିଛି। ଏହାକୁ ମିଶାଇ ଗତ ୩ ଦିନ ମଧ୍ୟରେ ଆମେରିକା ପ୍ରାୟ ୩୦୦ରୁ ଅଧିକ ଥର ଇରାନୀ ସଂଗଠନ ଏବଂ ସେମାନଙ୍କ ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ କରିସାରିଲାଣି।
Also Read: କୋଚିଂ ବିବାଦରେ ଖାନ ସାରଙ୍କ ଆଗୁଆ ଜାମିନ ଯାଚିକା ମଞ୍ଜୁର, ବଡିଗାର୍ଡଙ୍କୁ ବି ମିଳିଲା ବେଲ୍