ରାୟଗଡ଼ା: ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ୍ ଆଉ କେବେ ଫେରିବ ନାହିଁ ବୋଲି ଆଶା ଛାଡ଼ି ଦେଇଥିବା ଶତାଧିକ ଲୋକଙ୍କ ମୁହଁରେ ଖୁସି ଫେରାଇଛି ରାୟଗଡ଼ା ପୋଲିସ। ସାଇବର ସେଲ୍ର ସହଯୋଗରେ ଜିଲ୍ଲାବ୍ୟାପୀ ଚାଲିଥିବା ତଦନ୍ତରେ ୧୦୦ରୁ ଅଧିକ ଚୋରି ଓ ନିଖୋଜ ମୋବାଇଲ୍ ଫୋନ୍ ଉଦ୍ଧାର କରି ସେଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକଙ୍କ ହାତରେ ଫେରାଇ ଦିଆଯାଇଛି।
ସୋମବାର ଚନ୍ଦିଲି ଥାନା ଅଧୀନସ୍ଥ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍ଗୁଡ଼ିକ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଥାନାରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ପ୍ରଥମ ପର୍ଯ୍ୟାୟର ତଦନ୍ତ ଆରମ୍ଭ କରାଯାଇଥିଲା। ସାଇବର ସେଲ୍ର ସହାୟତାରେ ମୋବାଇଲ୍ଗୁଡ଼ିକର ଲୋକେସନ୍ ଟ୍ରାକ୍ କରାଯାଇ ସେଗୁଡ଼ିକୁ ଜବତ କରାଯାଇଥିଲା।
ରାୟଗଡ଼ା ଏସ୍ପି ରାଜ ପ୍ରସାଦ କହିଛନ୍ତି, ମୋବାଇଲ୍ ଫେରାଇବା ପୂର୍ବରୁ ୧୦୦ରୁ ଅଧିକ ଦାବିଦାରଙ୍କ ମାଲିକାନା ସମ୍ପର୍କିତ ସମସ୍ତ ଦସ୍ତାବିଜ ଯାଞ୍ଚ କରାଯାଇଥିଲା। ସଠିକ୍ ମାଲିକଙ୍କ ପରିଚୟ ନିଶ୍ଚିତ ହେବା ପରେ ହିଁ ସେମାନଙ୍କୁ ମୋବାଇଲ୍ ହସ୍ତାନ୍ତର କରାଯାଇଛି।
ଏସ୍ପି ଆହୁରି କହିଛନ୍ତି ଯେ, ମୋବାଇଲ୍ ଉଦ୍ଧାର ଅଭିଯାନ ଏବେ ମଧ୍ୟ ଜାରି ରହିଛି। ଆଗାମୀ ଦିନରେ ଆହୁରି ଅନେକ ଚୋରି ଓ ନିଖୋଜ ମୋବାଇଲ୍ ଠାବ କରାଯାଇ ସେଗୁଡ଼ିକୁ ମାଲିକଙ୍କୁ ଫେରାଇ ଦିଆଯିବ। ଏହା ସହ ଉଦ୍ଧାର ହୋଇଥିବା ମୋବାଇଲ୍ଗୁଡ଼ିକ ଚୋରି କିମ୍ବା ନିଖୋଜ ହେବା ପରେ କେଉଁଭଳି ବ୍ୟବହୃତ ହୋଇଥିଲା, ସେନେଇ ମଧ୍ୟ ତଦନ୍ତ ଚାଲିଛି। ଯଦି କୌଣସି ବେଆଇନ କାର୍ଯ୍ୟକଳାପ କିମ୍ବା ସନ୍ଦେହଜନକ ବ୍ୟବହାର ସାମ୍ନାକୁ ଆସେ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ।
ସାଧାରଣ ଲୋକଙ୍କୁ ସତର୍କ କରି ଏସ୍ପି ପରାମର୍ଶ ଦେଇଛନ୍ତି ଯେ, ମୋବାଇଲ୍ରେ ଉପଲବ୍ଧ ସମସ୍ତ ସୁରକ୍ଷା ବ୍ୟବସ୍ଥା ସକ୍ରିୟ କରନ୍ତୁ, 'ସଞ୍ଚାର ସାଥୀ' ପ୍ଲାଟଫର୍ମ ସହିତ ଅନ୍ୟାନ୍ୟ ସୁରକ୍ଷା ଆପ୍ ବ୍ୟବହାର କରନ୍ତୁ ଏବଂ ମୋବାଇଲ୍ ହଜିଗଲେ କିମ୍ବା ଚୋରି ହେଲେ ତୁରନ୍ତ ପୋଲିସକୁ ଜଣାନ୍ତୁ।