ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଏବଂ ସିଜିନାଲ୍ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ସେମାନଙ୍କ ଆର୍ଥିକ ବିକାଶ ଓ କଲ୍ୟାଣକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନୂଆ ପଦକ୍ଷେପ ଅନୁଯାୟୀ, କେନ୍ଦୁପତ୍ର କ୍ରୟ ମୂଲ୍ୟ ବୃଦ୍ଧି କରାଯିବା ସହ ବହୁ ପ୍ରତୀକ୍ଷିତ ବୋନସ୍ ଏବଂ ପ୍ରୋତ୍ସାହନ ରାଶି ପ୍ରଦାନକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି।
ରାଜ୍ୟ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନା ପାଇଁ ସରକାରୀ ସେଭିଂସରୁ ସମୁଦାୟ ୭୪.୭୮ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ, ପ୍ରୋସେସ୍ ଏରିଆରେ କେନ୍ଦୁପତ୍ରର ମୂଲ୍ୟରେ ସଂଶୋଧନ କରାଯାଇଛି। ଏଣିକି ପ୍ରତି କେରି (୨୦ଟି ପତ୍ର) ପିଛା ମୂଲ୍ୟରେ ୧୦ ପଇସା ବୃଦ୍ଧି ଘଟିଛି। ସେହିଭଳି ପ୍ରତି ଫାଳ (୪୦ଟି ପତ୍ର) ପିଛା ମୂଲ୍ୟରେ ୨୦ ପଇସା ବଢ଼ାଇ ଦିଆଯାଇଛି। କେବଳ ଏହି ମୂଲ୍ୟ ବୃଦ୍ଧି ବାବଦରେ ରାଜ୍ୟ ରାଜକୋଷରୁ ୧୦.୭୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ତୋଳାଳୀ ଓ ବନ୍ଧାଳୀଙ୍କୁ ମିଳିବ ବୋନସ୍
ସବୁଠାରୁ ବଡ଼ କଥା ହେଉଛି, ଗରିବ କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ସରକାର ସିଧାସଳଖ ୨୫ ପ୍ରତିଶତ ବୋନସ୍ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଦିନରାତି ପରିଶ୍ରମ କରୁଥିବା ବନ୍ଧାଳୀ ଏବଂ ସିଜିନାଲ୍ ଷ୍ଟାଫ୍ମାନଙ୍କ ଲାଗି ୫ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୋନସ୍ ଓ ପ୍ରୋତ୍ସାହନ ରାଶି ବାଣ୍ଟିବା ପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କାର ପାଣ୍ଠି ବହନ କରିବେ।
ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଫଳରେ ଗ୍ରାମାଞ୍ଚଳରେ ରହୁଥିବା ଏବଂ କେନ୍ଦୁପତ୍ର ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ଗରିବ ତଥା ଜନଜାତି ବର୍ଗର ଲୋକମାନେ ବିଶେଷ ଭାବେ ଉପକୃତ ହେବେ। ସରକାରଙ୍କ ଏଭଳି ପ୍ରୟାସ ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ଶ୍ରମିକଙ୍କ ମଧ୍ୟରେ ଉତ୍ସାହ ଭରିଦେବ ବୋଲି ଆଶା କରାଯାଉଛି।