ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଗ୍ରହଣ କରିଛି । କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର କୁମାର ବେହେରାଙ୍କୁ ମୁଖ୍ୟ ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ମିଳିଛି ।
ଏସ୍ସିଇଆର୍ଟି (SCERT)ର ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗକୁ ଆଧାର କରି କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠିତ ହୋଇଛି । ଏସସିଇଆରଟି ନିର୍ଦ୍ଦେଶିକାଙ୍କ ଏତଲା ଆଧାରରେ କ୍ରାଇମବ୍ରାଞ୍ଚରେ ମାମଲା ନଂ–୦୮/୨୦୨୬ ରୁଜୁ କରାଯାଇଛି। ଏହି ମାମଲା ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍), ୨୦୨୩ର ଧାରା ୩୧୬(୫), ୨୦୧, ୩(୫) ଏବଂ ୬୧(୨) ଅନୁଯାୟୀ ଦାୟର କରାଯାଇଛି । କ୍ରାଇମବ୍ରାଞ୍ଚ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିଏସ୍ପି ନରେନ୍ଦ୍ର କୁମାର ବେହେରାଙ୍କୁ ଏହି ସମ୍ବେଦନଶୀଳ ମାମଲାର ମୁଖ୍ୟ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।
ଖାଲି ସେତିକି ନୁହେଁ ତଦନ୍ତକୁ ବ୍ୟାପକ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ଏବଂ ବଣ୍ଟନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବ । ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଦସ୍ତାବିଜ, ରେକର୍ଡ ଓ ଅନ୍ୟାନ୍ୟ ସାକ୍ଷ୍ୟ ସଂଗ୍ରହ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ।
କ୍ରାଇମବ୍ରାଞ୍ଚ ଉନ୍ନୟନ କମିଶନରଙ୍କ ରିପୋର୍ଟ ଅତି ଗୁରୁତର ସହିତ ନେଇପାରେ । କାରଣ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟ ଆଧାରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଏହାସହ ୨୦୨୬–୨୭ ଶିକ୍ଷାବର୍ଷ ପାଇଁ ମାଗଣା ପାଠ୍ୟପୁସ୍ତକ ପ୍ରସ୍ତୁତିରେ ୩୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ, ଆଉଟ୍ସୋର୍ସିଂ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ଅର୍ଥ, ଡିଟିପି ଓ ଡିଜାଇନିଂ ଟେଣ୍ଡର ପ୍ରକ୍ରିୟା, ଏବଂ ଓସେପାର ଆର୍ଥିକ କାରବାରର ମଧ୍ୟ ଟିକିନିଖି ଯାଞ୍ଚ କରାଯିବ।