ୱାଶିଂଟନ୍: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଦେଖା ଦେଇଛି। ପୁଣି ଥରେ ଯୁଦ୍ଧ ସ୍ଥିତି ଉପୁଜିଛି। ଏହା ମଧ୍ୟରେ ଆନ୍ତର୍ଜାତୀୟ ରାଜନୀତିକୁ ଦୋହଲାଇ ଦେବା ଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି।
ଟ୍ରମ୍ପ କହିଛନ୍ତି ଯେ, ରଣନୈତିକ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ‘ହର୍ମୁଜ ପ୍ରଣାଳୀ’ ଦେଇ ଗତି କରୁଥିବା ସମସ୍ତ ମାଲବାହୀ ଜାହାଜ ବା କାର୍ଗୋ ଉପରେ ଆମେରିକା ୨୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଯାଉଛି। ଟ୍ରମ୍ପଙ୍କ ଏହି କଡ଼ା ଆଭିମୁଖ୍ୟ ପରେ ବିଶ୍ୱ ବଜାର, ବିଶେଷ କରି ଅଶୋଧିତ ତୈଳ ବଜାରରେ ହଲଚଲ ସୃଷ୍ଟି ହେବା ଆଶଙ୍କା କରାଯାଉଛି।
କାହିଁକି ଏଭଳି କଡ଼ା ଆଭିମୁଖ୍ୟ ଆପଣାଇଲେ ଟ୍ରମ୍ପ ?
ଆମେରିକାର ସୁରକ୍ଷା ଓ ଆର୍ଥିକ ସ୍ୱାର୍ଥ ରକ୍ଷା ପାଇଁ ଟ୍ରମ୍ପ ଏହି ବଡ଼ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ହୋରମୁଜ୍ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଜଳମାର୍ଗ, ଯେଉଁଠାରୁ ସାରା ବିଶ୍ୱକୁ ପ୍ରଚୁର ପରିମାଣରେ ତୈଳ ଓ ଗ୍ୟାସ୍ ପରିବହନ କରାଯାଇଥାଏ। ଟ୍ରମ୍ପଙ୍କ ଏହି ନୂଆ କାର୍ଗୋ ଶୁଳ୍କ ନୀତି ଯୋଗୁଁ ଆଗାମୀ ଦିନରେ ବିଭିନ୍ନ ଦେଶ ମଧ୍ୟରେ ଟ୍ରେଡ ଓ୍ଵାର ଆହୁରି ତେଜିପାରେ।
ଭାରତ ଉପରେ ପଡ଼ିପାରେ କି ପ୍ରଭାବ?
ହର୍ମୁଜ ପ୍ରଣାଳୀ ଦେଇ ମଧ୍ୟପ୍ରାଚ୍ୟରୁ ଭାରତକୁ ବହୁ ପରିମାଣରେ ଅଶୋଧିତ ତୈଳ ଆମଦାନୀ ହୋଇଥାଏ। ଯଦି ଆମେରିକା ଏହି ମାର୍ଗ ଦେଇ ଯାଉଥିବା କାର୍ଗୋ ଉପରେ ୨୦% ଟାରିଫ୍ ଲଗାଏ, ତେବେ ପରିବହନ ଖର୍ଚ୍ଚ ବୃଦ୍ଧି ପାଇବା ସହ ଆନ୍ତର୍ଜାତୀୟ ସ୍ତରରେ ତେଲ ଦର ବଢ଼ିବାର ଆଶଙ୍କା ରହିଛି, ଯାହାର ପରୋକ୍ଷ ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ମଧ୍ୟ ଦେଖିବାକୁ ମିଳିପାରେ।