ପୁଣି ଥରେ ଫେରିଛି ମହାମାରୀ କୋରୋନା । ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ କୋଭିଡ୍ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ସୂଚନା ପରେ ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଛନକା ପଶିଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ସତର୍କତା ଜାରି କରାଯାଇଛି ।
ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସମସ୍ତ ସରକାରୀ ଡାକ୍ତରଖାନା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଆନ୍ଧ୍ର ପ୍ରଦେଶ ଏବଂ ଗଞ୍ଜାମ ଜିଲ୍ଲାରେ ଦୈନିକ ସୀମାପାର ହେଉଥିବାରୁ ଏହାକୁ ନଜର ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ସିଡିଏମଓ ନିର୍ଦ୍ଦେଶ ଦେଇଛନ୍ତି ।
ସରକାରୀ ଡାକ୍ତରଖାନାକୁ ଆସୁଥିବା ସେଭଳି ରୋଗୀଙ୍କ ଉପରେ କଡ଼ା ନଜର ରଖାଯିବା ସହିତ ରକ୍ତ ନମୂନା ପରୀକ୍ଷା କରାଯିବ । ଗମ୍ଭୀର ତୀବ୍ର ଶ୍ୱାସକ୍ରିୟା ସମସ୍ୟା (SARI) ରେ ପୀଡ଼ିତ ସମସ୍ତ ରୋଗୀଙ୍କ ପାଇଁ ବାଧ୍ୟତାମୂଳକ କୋଭିଡ୍-୧୯ ପରୀକ୍ଷା କରାଯିବ । ଇନଫ୍ଲୁଏଞ୍ଜା ପରି ରୋଗ (ILI) ରେ ଲକ୍ଷଣ ଥିବା ରୋଗୀଙ୍କ ମଧ୍ୟରୁ ଅତି କମରେ ୫% ପାଇଁ କୋଭିଡ୍-୧୯ ପରୀକ୍ଷା କରାଯିବ ।
ସେହିପରି ଡାକ୍ତରଖାନା ଗୁଡ଼ିକରେ ଆଇସୋଲେସନ ୱାର୍ଡ, ଅମ୍ଳଜାନ ସପୋର୍ଟ ଥିବା ଶଯ୍ୟା ଏବଂ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ଗୁଡ଼ିକୁ ପୂର୍ବ ପ୍ରସ୍ତୁତି କରି ରଖାଯିବ । ପାଖରେ ଥିବା ଅମ୍ଳଜାନ ସିଲିଣ୍ଡର୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି କି ନାହିଁ ତାହାର ଯାଞ୍ଚ କରାଯିବ ।
ଲୋକ ମାନଙ୍କ ମଧ୍ୟରେ ପୁଣି କୋରୋନା ସଚେତନତା ସୃଷ୍ଟି କରାଯିବ । ଜ୍ୱର କିମ୍ବା ଶ୍ୱାସକ୍ରିୟାରେ ଅସୁବିଧାରେ ସମ୍ମୁଖୀନ ହେଲେ ଡାକ୍ତରଙ୍କ ପରାମର୍ଶ କରିବାକୁ ଆଶା କର୍ମୀ ଏବଂ ଏଏନ୍ଏମ୍ କର୍ମୀ ଲୋକଙ୍କୁ ସଚେତନ କରାଇବେ । କିଛି ଲକ୍ଷଣ ଦେଖାଗଲେ ଆତଙ୍କିତ ନ ହୋଇ ତୁରନ୍ତ ଡାକ୍ତର ପରାମର୍ଶ କରିବାକୁ କୁହାଯାଇଛି । ଏ ସମସ୍ତର ଦୈନିକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।