ଭୁବନେଶ୍ଵର: ସଂସଦ ମୌସୁମୀ ଅଧିବେଶନ ପାଇଁ ଆଉ କେଇଟା ଦିନ ବାକି ରହିଛି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜୁ ଜନତା ଦଳ । ସୋମବାର ନବୀନ ନିବାସରେ ବିଜେଡ଼ିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ, ସଂସଦୀୟ ଦଳ ଉପନେତା ସୁଲତା ଦେଓ, ସାଂସଦ ସସ୍ମିତ ପାତ୍ର, ପୁରୀ ସାଂସଦ ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ମୌସୁମୀ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ଚାଷୀଙ୍କ ସମସ୍ୟା, ଭିଡ଼ ହିଂସା, ଭତ୍ତା ଦେବାରେ ବିଳମ୍ବ, ଭୁଲ ବହି, ନିଟ୍ ପେପର ଲିକ୍, ଦରଦାମ ବୃଦ୍ଧି, ପୋଲାଭରମ ପ୍ରକଳ୍ପ ବିବାଦ ଏବଂ କୋଇଲା ରୟାଲଟି ଉପରେ ସଂସଦରେ ଦଳର ସାଂସଦମାନେ ଜୋରଦାର୍ ଲଢ଼େଇ କରିବେ। ଓଡ଼ିଶାର ଅଧିକାର ସହ କୌଣସି ସାଲିସ କରାଯିବ ନାହିଁ ବୋଲି ସଭାପତି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଆଜି ଅଙ୍କକଷା ହୋଇଛି । ସୁପ୍ରିମୋ ଦଳର ନେତା ମାନଙ୍କୁ ଗୁରୁ ଜ୍ଞାନ ଦେଇଛନ୍ତି ।
ଆସନ୍ତା ଜୁଲାଇ ୨୦ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭାର ମୌସୁମୀ ଅଧିବେଶନ ଚାଲିବ । ଭାରତ ସରକାରଙ୍କ ସୁପାରିଶ ଆଧାରରେ ଦୁଇ ସଦନର ଅଧିବେଶନ ପାଇଁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଅନୁମୋଦନ ଦେଇଛନ୍ତି । ଏହି ସମୟ ମଧ୍ୟରେ, ଉଭୟ ଗୃହରେ ଦେଶର ବିଭିନ୍ନ ପ୍ରସଙ୍ଗରେ ବିତର୍କ ଏବଂ ଆଲୋଚନା ହେବ । ଏହା ସହିତ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହୀତ ହୋଇପାରେ । ତେବେ ଏଥିରେ କେତୋଟି କାର୍ଯ୍ୟ ଦିବସ ରହିବ ଏବଂ କେତେ ଦିନ ଛୁଟି ରହିବ ସେ ନେଇ ବିସ୍ତୃତ ସୂଚନା ଦିଆଯାଇନାହିଁ । ଏହା ସହିତ ନିକଟରେ ନବ ନିର୍ବାଚିତ ହୋଇଥିବା ରାଜ୍ୟସଭା ସଦସ୍ୟମାନେ ଶପଥ ଗ୍ରହଣ କରିବେ । ତେବେ ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସେହିପରି ପୂର୍ବ ସ୍ୱତନ୍ତ୍ର ଅଧିବେଶନରେ ମାତ ଖାଇଥିବା ମହିଳା ସଂରକ୍ଷଣ ବିଲକୁ ସରକାର ପୁଣି ଥରେ ପାରିତ କରିବାକୁ ଚେଷ୍ଟା କରିପାରନ୍ତି ।