ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାସ୍ଥିତ ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପରେ ଦୁର୍ଲଭ ଦ୍ୱାରିକା ବେଶ ବା ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଏହା ପରେ ଶ୍ରୀଜୀଉଙ୍କର ବାହୁଡ଼ା ନୀତି ଅନୁଷ୍ଠିତ ହେବ । ବାହୁଡ଼ା ଦଶମୀ ତିଥି ଅବସରରେ ମହାପ୍ରଭୁଙ୍କର ଏହି ସ୍ଵର୍ଣ୍ଣମୟ ରୂପ ଦର୍ଶନ କରିବା ପାଇଁ ଆଡ଼ପ ମଣ୍ଡପ ପ୍ରାଙ୍ଗଣରେ ଅପୂର୍ବ ଜନସମୁଦ୍ର ସୃଷ୍ଟି ହୋଇଥିଲା।
ପରମ୍ପରା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ବାହୁଡ଼ା ଦିନ ମହାପ୍ରଭୁ ଭକ୍ତଙ୍କୁ ଆଡ଼ପ ମଣ୍ଡପରେ ସୁନାବେଶରେ ଦର୍ଶନ ଦିଅନ୍ତି । ଆଜି ସକାଳ ଧୂପ ନୀତିରେ ସାମାନ୍ୟ ବିଳମ୍ବ ହୋଇଥିଲା । ଏହା ପରେ ମହାପ୍ରଭୁଙ୍କ ସକାଳ ଧୂପ ଅନୁଷ୍ଠିତ ହେବା ପରେ ଦୁର୍ଲଭ ଦ୍ଵାରିକା ବେଶ ଅନୁଷ୍ଠିତ ହୋଇଥିଲା । ଏହି ବେଶରେ ମା' ଗୁଣ୍ଡିଚା ରାଣୀ ସ୍ଵହସ୍ତରେ ମହାପ୍ରଭୁଙ୍କୁ ଶେଷ ଭୋଗ (ଖେଚୁଡ଼ି ଭୋଗ) ଖୁଆଇଥିଲେ । ପରେ ସାହାଣମେଲା ଦର୍ଶନରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି କୃତକୃତ୍ୟ ହୋଇଥିଲେ। ଏହା ପରେ ପହଣ୍ଡିରେ ମହାପ୍ରଭୁ ରଥକୁ ବିଜେ କରିବେ ଏବଂ ରଥ ଟଣା ଆରମ୍ଭ ହେବ ।
ମାନବୀୟ ପ୍ରଚେଷ୍ଟା, ପ୍ରଶାସନିକ ଶୃଙ୍ଖଳା ଏବଂ ଭକ୍ତଙ୍କ ଗଭୀର ଆସ୍ଥା ଯୋଗୁଁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସୁନାବେଶ ଓ ବାହୁଡାନୀତି ଅତ୍ୟନ୍ତ ଆନନ୍ଦଉଲ୍ଲାସର ସହିତ ସମ୍ପନ୍ନ ହୋଇଛି ।