ନୂଆଦିଲ୍ଲୀ: ନିଟ୍ ପେପର୍ ଲିକକୁ ନେଇ ଚାଲିଥିବା ହଙ୍ଗାମା ମଧ୍ୟରେ କେନ୍ଦ୍ର ସରକାର ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହରେ ‘ବନ୍ଦେ ମାତରମ୍’ ବିଧେୟକ ଆଗତ କରିଛନ୍ତି । ଶୁକ୍ରବାର ରାଜ୍ୟସଭାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ‘ରାଷ୍ଟ୍ରୀୟ ସମ୍ମାନକୁ ଅପମାନ ନିରୋଧ (ସଂଶୋଧନ) ବିଧେୟକ ୨୦୨୬’କୁ ଆଗତ କରିଛନ୍ତି । କିନ୍ତୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହରେ ବିଲ୍ ଉପରେ ଆଲୋଚନା ହୋଇପାରି ନାହିଁ ।
ଏହି ବିଲ୍ ଆଗତର ବିଶେଷତ୍ୱ ହେଉଛି ଜାତୀୟ ସଂଗୀତ “ଜନ ଗଣ ମନ” ଏବଂ ଜାତୀୟ ପତାକା “ତ୍ରିରଙ୍ଗା” ଭଳି ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍”କୁ ଆଉ କେହି ଅପମାନିତ କରିପାରିବେ ନାହିଁ । ବନ୍ଦେ ମାତରମ ଗୀତର ଗୌରବ ଏବଂ ଅଖଣ୍ଡତାକୁ ବଜାୟ ରଖିବା ସହିତ ସମ୍ମାନ ସୁନିଶ୍ଚିତ କରିବାକୁ ଏହି ଆଇନ ଆଣିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର ଆଇନ ପ୍ରଣୟନ ହେବ । ଯଦି କେହି ରାଷ୍ଟ୍ରୀୟ ଗୀତକୁ ଅପମାନିତ କରୁଥିବାର ନଜର ଆସିବେ ତେବେ ତାଙ୍କୁ ଅତିକମରେ ତିନି ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଆର୍ଥିକ ଦଣ୍ଡବିଧାନ ମଧ୍ୟ ହୋଇପାରେ ।
ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନଠାରୁ ନିଟ୍ ପେପର୍ ଲିକକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟ ନାରାବାଜି ଜାରି ରଖିଛନ୍ତି । ବାଚସ୍ପତି ଏବଂ ଅଧ୍ୟକ୍ଷକଙ୍କ ଗୁହାରୀ ସତ୍ୱେ ଉଭୟ ଗୃହରେ ବିଶୃଙ୍ଖଳା ଲାଗି ରହିଛି । ସରକାର ଯେତେ ମନାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିରୋଧୀ ନିଜ ଜିଦରେ ଅଟଳ ରହିଛନ୍ତି । ଫଳରେ ବାରମ୍ବାର ଗୃହ ମୁଲତବୀ ରହୁଛି । ଆଜି ମଧ୍ୟ ଉଭୟ ଗୃହରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଆଜି ଗୋଟିଏ ଦିନରେ ରାଜ୍ୟସଭା ଗୃହ କାର୍ଯ୍ୟ ତିନି ଥର ମୁଲତବୀ ରହିଥିଲା । ପୂର୍ବାହ୍ନ ୧୧ଟାରେ ପ୍ରଥମେ ଗୃହ କାର୍ଯ୍ୟ ଆରମ୍ଭ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମଧ୍ୟାହ୍ନ ୧୨ଟା ଯାଏ ସ୍ଥଗିତ ରହିଥିଲା । ୧୨ଟାରେ ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ମୁଲତବୀ ହୋଇଥିଲା । ଦିନ ୨ଟାରେ ଗୃହ କାର୍ୟ୍ୟ ତୃତୀୟ ଥର ପାଇଁ ଆରମ୍ଭ ହେବା ପରେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିଲ୍ ଆଗତ କରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା । ଏହା ପରେ ଉପାଧ୍ୟକ୍ଷ ହରିବଂଶ ରାୟ ଗୃହ କାର୍ୟ୍ୟକୁ ସୋମବାର ୧୧ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।