କନ୍ଧମାଳ: କନ୍ଧମାଳ ପୋଲିସକୁ ବଡ଼ ସଫଳତା ମିଳିଛି । ଏକ ବହୁଚର୍ଚ୍ଚିତ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ବିଶାଖାପାଟନମ୍ ରୁ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ରୂପେଶ ପ୍ରଧାନ । ଏହି ଗିରଫଦାରୀ ପରେ ଏହି ନିଶା କାରବାର ସିଣ୍ଡିକେଟ୍ ରେ ମୋଟ ଗିରଫ ସଂଖ୍ୟା ୯ ରେ ପହଞ୍ଚିଛି ।
କନ୍ଧମାଳ ଏସପିଙ୍କ ସୂଚନା ଆଧାରରେ, ପୋଲିସର ସ୍ୱତନ୍ତ୍ର ଟିମ୍ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ରେ ଚଢ଼ଉ କରି ରୂପେଶ ପ୍ରଧାନଙ୍କୁ ଗିରଫ କରିଛି । ରୂପେଶ ହେଉଛି ନାର୍କୋଟିକ୍ସ ମାଫିଆ ଦିଲୀପ କୁମାର ଗୌଡ଼ାଙ୍କ ଘନିଷ୍ଠ ସହଯୋଗୀ । ସମଗ୍ର ବ୍ୟବସାୟିକ କାରବାରର ପରିଚାଳକ। ତଦନ୍ତରୁ ଜଣାପଡ଼ିଛି ଯେ ରୂପେଶ ପ୍ରଧାନଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଓ ଯାନବାହନ ବ୍ୟବହାର କରି ବାଣିଜ୍ୟିକ ପରିମାଣରେ ଗଞ୍ଜେଇ ପରିବହନ କରାଯାଉଥିଲା । ଏହି ମାମଲା ବାଲିଗୁଡ଼ା ଥାନା କେସ୍ ନମ୍ବର ୧୦୪/୨୦୨୫ ସହ ଜଡିତ ।
ଗତ ବର୍ଷ ଦିଲୀପ କୁମାର ଗୌଡ଼ାଙ୍କୁ ଏକ ବୋଲେରୋ ଗାଡ଼ିରୁ ପ୍ରାୟ ୯୧ କିଲୋଗ୍ରାମ ଗଞ୍ଜେଇ ସହ ଗିରଫ କରିଥିଲା ପୋଲିସ । ପରବର୍ତ୍ତୀ ତଦନ୍ତରେ ଓଡ଼ିଶାର କନ୍ଧମାଳରୁ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ଗୁଜରାଟ ପର୍ଯ୍ୟନ୍ତ ବ୍ୟାପିଥିବା ଏକ ସଂଗଠିତ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ନେଟୱାର୍କର ପର୍ଦ୍ଦାଫାସ ହୋଇଥିଲା ।
ପୋଲିସ ସୂଚନା ଅନୁସାରେ, ଏହି ନିଶା କାରବାରର ର ରାଜ୍ୟ ସୀମା ଦେଇ ବିପୁଳ ପରିମାଣର ନିଶାଦ୍ରବ୍ୟ ପରିବହନ ପାଇଁ ସଂଶୋଧିତ ଭାରୀ ଯାନମାନ ବ୍ୟବହାର କରୁଥିଲା । ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ, ପୋଲିସ କହିଛି ଯେ ଚୋରା ଚାଲାଣ ନେଟୱାର୍କର ଆର୍ଥିକ କାରବାର ଓ ଅନ୍ୟ ସହଯୋଗୀଙ୍କ ସମ୍ପୃକ୍ତିକୁ ନେଇ ତଦନ୍ତ ଜାରି ରହିଛି । ଆନ୍ତଃରାଜ୍ୟ ନିଶା କାରବାର ବିରୋଧରେ କନ୍ଧମାଳ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ଏଭଳି ନିଶା ଚକ୍ର ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା ଅଭିଯାନ ଜାରି ରହିବ ବୋଲି କହିଛନ୍ତି ଏସପି।