କନ୍ଧମାଳ: ଓଡ଼ିଶା ପୋଲିସର ‘ଅପରେସନ୍ ଅନ୍ୱେଷଣ-୩’ ଅଭିଯାନରେ କନ୍ଧମାଳ ପୋଲିସକୁ ମିଳିଛି ବଡ଼ ସଫଳତା। ମାତ୍ର ୫ ଦିନର ସ୍ୱତନ୍ତ୍ର ଅଭିଯାନରେ ୧୨୯ ଜଣ ମହିଳା ଓ ୯ ଜଣ ନିଖୋଜ ନାବାଳିକା, ଅର୍ଥାତ୍ ମୋଟ ୧୩୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ପରିବାର ଓ ଅଭିଭାବକଙ୍କ ନିକଟକୁ ହସ୍ତାନ୍ତର କରାଯାଇଛି।
କନ୍ଧମାଳ ଏସ୍ପି ରାମେନ୍ଦ୍ର ପ୍ରସାଦ ଗୁରୁବାର ଏହି ସୂଚନା ଦେଇ କହିଛନ୍ତି ଯେ, ଜୁଲାଇ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଥାନାକୁ ସାମିଲ କରି ଏହି ସ୍ୱତନ୍ତ୍ର ଅଭିଯାନ ଚାଲିଥିଲା। ପ୍ରତ୍ୟେକ ଥାନା ଅଞ୍ଚଳରେ ନିଖୋଜ ମହିଳା ଓ ଶିଶୁମାନଙ୍କ ସନ୍ଧାନ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।ପୋଲିସର ସମନ୍ୱିତ ପ୍ରୟାସ ଓ ବୈଷୟିକ ତଦନ୍ତ ମାଧ୍ୟମରେ ବିଭିନ୍ନ ସ୍ଥାନରୁ ଏହି ମହିଳା ଓ ନାବାଳିକାମାନଙ୍କୁ ଠାବ କରାଯାଇଥିଲା। ନୟାଗଡ଼, ଭୁବନେଶ୍ୱର, କଳାହାଣ୍ଡି ସମେତ ବିଭିନ୍ନ ଜିଲ୍ଲାରୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଏସ୍ପିଙ୍କ କହିବା ଅନୁସାରେ, ଏହି ଅଭିଯାନରେ ଟାଉନ ଥାନା ଓ ଖଜୁରୀପଡ଼ା ଥାନା ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ଜିଲ୍ଲାର ସମସ୍ତ ଥାନା ଏଥିରେ ସକ୍ରିୟ ସହଯୋଗ କରିଥିଲେ। ପୂର୍ବରୁ ରୁଜୁ ହୋଇଥିବା ନିଖୋଜ ମାମଲା ଓ ଏଫ୍ଆଇଆର୍ଗୁଡ଼ିକୁ ପ୍ରାଥମିକତା ଦେଇ ଖୋଜାଖୋଜି କରାଯାଇଥିଲା।
ସେ କହିଛନ୍ତି, ସାଧାରଣ ଦିନରେ ମଧ୍ୟ ନିଖୋଜ ମହିଳା ଓ ଶିଶୁଙ୍କୁ ଖୋଜିବା କାମ ଚାଲିଥାଏ। କିନ୍ତୁ ଏଭଳି ସ୍ୱତନ୍ତ୍ର ଅଭିଯାନ ସମୟରେ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବୈଷୟିକ ସୂଚନାର ସହାୟତାରେ ତଦନ୍ତକୁ ଆହୁରି ଜୋରଦାର କରାଯାଏ। ଫଳସ୍ୱରୂପ, ଅଳ୍ପ ସମୟ ମଧ୍ୟରେ ୧୩୮ ଜଣଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇଛି।
ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରତି କନ୍ଧମାଳ ପୋଲିସ ସଦା ସତର୍କ ଓ ପ୍ରତିବଦ୍ଧ ଥିବା ଏସ୍ପି କହିଛନ୍ତି। କୌଣସି ଜରୁରୀ ପରିସ୍ଥିତିରେ ସାଧାରଣ ଲୋକେ ୧୧୨ ଟୋଲ୍-ଫ୍ରି ଜରୁରୀକାଳୀନ ପୋଲିସ ହେଲ୍ପଲାଇନ୍ ନମ୍ବରକୁ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।
ଓଡ଼ିଶା ପୋଲିସର ଏହି ‘ଅପରେସନ୍ ଅନ୍ୱେଷଣ-୩’ ନିଖୋଜ ମହିଳା ଓ ଶିଶୁମାନଙ୍କୁ ପରିବାର ସହ ପୁନର୍ମିଳନ କରାଇବା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମନେ କରାଯାଉଛି।