ପୁରୀ: ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା । ଶରଧା ବାଲିରେ ଗଡ଼ିଛି ତାଳଧ୍ୱଜ । ଘଣ୍ଟ ନିନାଦରେ ହରିବୋଲ ହୁଳହୁଳି ଧ୍ୱନିରେ ଘର୍ଘର ନାଦରେ ଆଗକୁ ବଢ଼ିଛି ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ।
ଆଜି ନିର୍ଦ୍ଧାରିତ ସମୟର ପ୍ରାୟ ୪୫ ମିନିଟ୍ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା । ସମସ୍ତ ନୀତିକାନ୍ତି ସମାନୁସାରେ ହୋଇଥିଲା । ଏହା ପରେ ପୂର୍ବାହ୍ନ ୧୧ଟା ସମୟରେ ପହଣ୍ଡି ଆରମ୍ଭ ହୋଇଥିଲା । ନାକ ଚଣା ଦ୍ୱାର ଦେଇ ଧାଡ଼ି ପହଣ୍ଡିରେ ରଥାରୁଢ଼ ହୋଇଥିଲେ ଚତୁର୍ଦ୍ଧାମୂରତି । ପ୍ରଥମେ ଚକ୍ରବୀର ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଆସିଥିଲେ ଚକାନୟନ କାଳିଆ ସାଆନ୍ତ । ଏହା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରଥମେ ତାଳଧ୍ୱଜରେ ସୁବର୍ଣ୍ଣ ଖଡ଼ିକାରେ ମାର୍ଜଣା କରିଥିଲେ । ତିନି ରଥରେ ଛେରା ପହଁରା ଓ ବନ୍ଦାପନା ସରିବା ପରେ ଚାରମାଳ ଖୋଲାଯିବା ସହିତ ଘୋଡ଼ା ବନ୍ଧା ଯାଇଥିଲା । ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ରଥଟଣା । ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ ବଡ଼ ଭାଇ ବଳଭଦ୍ର । ଘଣ୍ଟ ତାଳ, କାହାଳୀ ଶବଦରେ କମ୍ପି ଉଠୁଛି ଶରଧା ବାଲି । ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ଗଗନ ପବନ । ସେପଟେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ମହାବାହୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଗଡ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
ତାଳଧ୍ୱଜ' ବା 'ଲଙ୍ଗଳ ଧ୍ୱଜ' ରଥ
ତାଳଧ୍ୱଜ ରଥ ମୋଟ ୭୩୧ଖଣ୍ଡ କାଠରେ ତିଆରି ହୋଇଥାଏ । ଯାହାର ଉଚ୍ଚତା ୪୫ଫୁଟ ଅଟେ । ଏଥିରେ ୧୪ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ। ତାଳଧ୍ୱଜ ରଥର ଦଧିନଉତିର ନାମ ହିରଣ୍ମୟୀ, ସାରଥି ହେଉଛନ୍ତି ମାତଳୀ ଏବଂ ଦଉଡ଼ିର ନାମ ବାସୁକୀ । ନାଲି ଓ ସବୁଜ ରଙ୍ଗର କପଡ଼ାରେ ରଥାବରଣ କରାଯାଏ ।
ବଳଭଦ୍ର କଳା ରଙ୍ଗର ଘୋଡ଼ାରେ ଯାତ୍ରା କରିଥାଆନ୍ତି । ସେଥିପାଇଁ ରଥରେ ଚାରୋଟି କଳା ଘୋଡ଼ା ଖଞ୍ଜା ଯାଇଥାଏ । ଏହି ଘୋଡ଼ା ବିଭିନ୍ନ ନାମ ରହିଛି ସେଗୁ଼ଡ଼ିକ ହେଲା - ତୀବ୍ର, ଘୋର, ଦୀର୍ଘଶ୍ରମ ଏବଂ ସ୍ବର୍ଣ୍ଣନାଭ ବା ସ୍ଥିରା, ଧୃତି, ସ୍ଥିତି ଏବଂ ପ୍ରଜ୍ଞା ବା ଶଙ୍ଖ, ସୁଚ଼ିତ୍ର, ଅଙ୍ଗଦ ଏବଂ ମେଘନାଦ ।