ଯାଜପୁର: ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। କୁଆଖିଆ ଥାନା ଅନ୍ତର୍ଗତ ବାରବାଟୀ ନିକଟ କ୍ରିଷ୍ଣା ହୋଟେଲ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଏକ ନାଇଟ୍ କୋଚ୍ ଯାତ୍ରୀବାହୀ ବସ୍ ଟ୍ରକ୍ ପଛରେ ପିଟି ହୋଇଯାଇଛି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ହେଲପରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ‘ସନା ଟ୍ରାଭେଲସ’ ନାମକ ଏକ ନାଇଟ୍ କୋଚ୍ ବସ୍ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା। ବସ୍ରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ରାସ୍ତାରେ ପ୍ରଥମେ ବସ୍ଟି ଏକ ଆଇଚର ଗାଡ଼ିକୁ ସାଇଡ୍ ମାରିଥିଲା। ଏହାପରେ ଡ୍ରାଇଭର ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଟ୍ରକ୍କୁ ପଛପଟୁ ଜୋରଦାର ଧକ୍କା ଦେଇଥିଲେ। ଧକ୍କା ଏତେ ଜୋରରେ ହୋଇଥିଲା ଯେ ବସ୍ର ସାମ୍ନା ଅଂଶ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସ୍ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାରକୁ ଆଣି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଡାକ୍ତରଖାନାକୁ ପଠାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣା ପରେ ବସ୍ ଓ ଟ୍ରକ୍ର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ତେବେ ବସ୍ରେ ଥିବା ୫୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି। ଅବଶିଷ୍ଟ ଯାତ୍ରୀଙ୍କୁ ଅନ୍ୟ ବସ୍ ଯୋଗେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇବା ବ୍ୟବସ୍ଥା କରାଯାଇଛି।
ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ କୁଆଖିଆ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଲଗାତାର ବସ୍ ଦୁର୍ଘଟଣା ଘଟଣା ଯାତ୍ରୀ ସୁରକ୍ଷା ଓ ରାଜପଥରେ ବେପରୁଆ ଗାଡ଼ି ଚାଳନାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି।