ନୂଆଦିଲ୍ଲୀ: ଦେଶରେ ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜୋର ଧରିଥିବା ବେଳେ କେନ୍ଦ୍ର ସରକାର ପ୍ରଶାସନିକ ସ୍ତରରେ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗର ସଚିବ ବିନୀତ ଜୋଶୀଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନରେଶ ପାଲ ଗଙ୍ଗୱାରଙ୍କୁ କେନ୍ଦ୍ରର ନୂଆ ଉଚ୍ଚଶିକ୍ଷା ସଚିବ ଭାବେ ନିଯୁକ୍ତ କରାଯାଇଛି।
ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବିନୀତ ଜୋଶୀଙ୍କୁ ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ଭାବେ ବଦଳି କରାଯାଇଛି। ସେ ୨୦୨୫ ଜାନୁଆରୀରୁ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ।
ଅନ୍ୟପଟେ, ରାଜସ୍ଥାନ କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ନରେଶ ପାଲ ଗଙ୍ଗୱାର, ଯିଏ ଏପର୍ଯ୍ୟନ୍ତ ପଶୁପାଳନ ଓ ଡେୟାରି ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ, ତାଙ୍କୁ ଏବେ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ଦିଆଯାଇଛି।
ଏହି ପ୍ରଶାସନିକ ପରିବର୍ତ୍ତନ ଏଭଳି ସମୟରେ ହୋଇଛି, ଯେତେବେଳେ ଦେଶର ବିଭିନ୍ନ ସ୍ଥାନରେ ପେପର ଲିକ୍ ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ବିରୋଧୀ ଦଳ ପକ୍ଷରୁ ଜୋରଦାର ପ୍ରତିବାଦ ଚାଲିଛି। ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା, ପ୍ରଶ୍ନପତ୍ର ଲିକ୍ ରୋକିବା ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ତେବେ ସରକାର ଏହି ବଦଳିକୁ ସିଧାସଳଖ ଭାବେ ପେପର ଲିକ୍ ଘଟଣା ସହ ଯୋଡ଼ିନାହାନ୍ତି।
ଏପଟେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ, ପେପର ଲିକ୍ ପ୍ରସଙ୍ଗରେ ଅବହେଳା ପାଇଁ ଶିକ୍ଷା ସଚିବଙ୍କୁ ବଦଳି କରାଯାଇଛି। ସେ କହିଛନ୍ତି, ପ୍ରଶ୍ନପତ୍ର ଲିକ୍ରେ ସମ୍ପୃକ୍ତ ଦୋଷୀଙ୍କ ସହ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କଠୋର ପଦକ୍ଷେପ ନିଆଯିବ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେପର ଲିକ୍ ମାମଲାର ଶୀଘ୍ର ବିଚାର ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ ବୋଲି ଘୋଷଣା କରିଥିଲେ। ସେହିପରି ଆସନ୍ତା ସଂସଦ ଅଧିବେଶନରେ ପେପର ଲିକ୍ ରୋକିବା ପାଇଁ ଆହୁରି କଠୋର ଆଇନ ଆଣିବା ନେଇ ମଧ୍ୟ ସରକାର ବିଚାର କରୁଥିବା ସୂଚନା ମିଳିଛି। ପରୀକ୍ଷା ବ୍ୟବସ୍ଥାରେ ବିଶ୍ୱାସ ଫେରାଇବା ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।