ନୂଆଦିଲ୍ଲୀ: ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ କେନ୍ଦ୍ର ସରକାର ଏବଂ ଆନ୍ଦୋଳନରତ ନେତାଙ୍କ ମଧ୍ୟରେ ଲାଗି ରହିଥିବା ଗତିରୋଧ ଦୂର ହେବାକୁ ଯାଉଛି। କୋକରୋଚ୍ ଜନତା ପାର୍ଟି (CJP)ର ଏକ ନିର୍ଦ୍ଦିଷ୍ଟ ପ୍ରତିନିଧି ଦଳ ଶୁକ୍ରବାର ଅପରାହ୍ନ ୧୨ଟା ୩୦ ମିନିଟ୍ରେ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ଦୀର୍ଘ ଦିନର ବିକ୍ଷୋଭ ପରେ ପ୍ରଥମ ଥର ପାଇଁ ଦୁଇ ପକ୍ଷ ମଧ୍ୟରେ ଏହି ପୂର୍ଣ୍ଣାଙ୍ଗ ଆଲୋଚନା ହେବାକୁ ଯାଉଛି।
ନିଟ୍ ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣି ସିଜେପି ଏବଂ ବହୁ ଛାତ୍ର ସଂଗଠନ ଦିଲ୍ଲୀର ଜନ୍ତର-ମନ୍ତରଠାରେ ନିରନ୍ତର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତ କିଛି ଦିନ ହେବ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସାଧସି ଏବଂ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା।
ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବିଗୁଡ଼ିକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ। ନିଟ୍ ପରୀକ୍ଷା ପରିଚାଳନାରେ ସଂସ୍କାର ଏବଂ ଗୁରୁତର ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଶାନ୍ତିପୂର୍ଣ୍ଣ ବିକ୍ଷୋଭରେ ଭାଗ ନେଇଥିବା ଛାତ୍ର ଓ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କୌଣସି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଉ।
ନିରପେକ୍ଷ ସ୍ଥାନରେ ଆଲୋଚନା ପାଇଁ ପ୍ରସ୍ତାବ
ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ସିଜେପି ନେତାଙ୍କୁ ବୈଠକ ପାଇଁ ନିଜ ବାସଭବନ କିମ୍ବା କାର୍ଯ୍ୟାଳୟକୁ ନିମନ୍ତ୍ରଣ କରିଥିଲେ। ତେବେ କୌଣସି ମନ୍ତ୍ରୀଙ୍କ ଘର କିମ୍ବା ଅଫିସ ବଦଳରେ କେବଳ ଗୋଟିଏ ନିରପେକ୍ଷ ସ୍ଥାନରେ ଆଲୋଚନା ହେବ ବୋଲି ସିଜେପି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଶୁକ୍ରବାର ହେବାକୁ ଥିବା ଏହି ବୈଠକର ସ୍ଥାନ ଗୁପ୍ତ ରଖାଯାଇଥିଲେ ହେଁ, ସରକାରଙ୍କ ଆଲୋଚନା ପ୍ରସ୍ତାବକୁ ସିଜେପି ସ୍ୱୀକାର କରିଥିବା ସୂଚନା ମିଳିଛି।