ଭୁବନେଶ୍ୱର: ଓଡ଼ିଶାର ଯୁକ୍ତ ୨ (୨୦୨୬-୨୭) ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ ୮୭,୫୭୬ ଜଣ ଆବେଦନକାରୀଙ୍କୁ ବିଚାରକୁ ନିଆଯାଇଥିବା ବେଳେ ୪୧,୪୭୦ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ପର୍ଯ୍ୟାୟରେ ସିଟ୍ ପାଇଛନ୍ତି। ସେହିପରି ୨୫,୪୧୪ ଜଣ ଛାତ୍ରଛାତ୍ରୀ ସ୍ଲାଇଡ୍-ଅପ୍ ସୁବିଧା ପାଇଛନ୍ତି।
ଚଳିତ ବର୍ଷ ମଧ୍ୟ ରେଭେନ୍ସା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, କଟକ ତିନୋଟି ପ୍ରମୁଖ ଷ୍ଟ୍ରିମ୍ରେ ନିଜର ଦବଦବା ବଜାୟ ରଖିଛି। କଳାରେ ୭୮%, ବାଣିଜ୍ୟରେ ୭୮.୨୦% ଏବଂ ବିଜ୍ଞାନରେ ୯୦% କଟ୍-ଅଫ୍ ସହ ରେଭେନ୍ସା ପ୍ରଥମ ସ୍ଥାନ ଅଧିକାର କରିଛି।
ବିଜ୍ଞାନ ଷ୍ଟ୍ରିମ୍ରେ ବିଜେବି ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ୱର ୮୪.୬୭% ସହ ଦ୍ୱିତୀୟ ଏବଂ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଭବାନୀପାଟଣା ୮୪.୪୮% ସହ ତୃତୀୟ ସ୍ଥାନରେ ରହିଛି। ବାଣିଜ୍ୟରେ ରାଉରକେଲା ସରକାରୀ ଏଚଏସଏସ ଦ୍ୱିତୀୟ ଏବଂ ବିଜେବି ତୃତୀୟ ସ୍ଥାନରେ ଥିବା ବେଳେ କଳାରେ ଭବାନୀପାଟଣା ସରକାରୀ ଏଚଏସଏସ ଦ୍ୱିତୀୟ ସ୍ଥାନ ହାସଲ କରିଛି।
ଧନ୍ଦାମୂଳକ (ଭୋକେସନାଲ୍) ଷ୍ଟ୍ରିମ୍ରେ ଏଫ୍ଏମ୍ ଏଚଏସଏସ, ବାଲେଶ୍ୱର ୬୭.୬୭% ସହ ଶୀର୍ଷରେ ରହିଥିବା ବେଳେ ସଂସ୍କୃତ ଷ୍ଟ୍ରିମ୍ରେ ସଂସ୍କୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ବ୍ରହ୍ମଗିରି ୭୪.୫୦% କଟ୍-ଅଫ୍ ସହ ପ୍ରଥମ ସ୍ଥାନ ଦଖଲ କରିଛି।
ଏହି ପର୍ଯ୍ୟାୟରେ ମୋଟ ୨୨,୩୫୭ ଜଣ ପୁଅ, ୧୨,୦୭୨ ଜଣ ଝିଅ ଏବଂ ଜଣେ ଟ୍ରାନ୍ସଜେଣ୍ଡର ଛାତ୍ରଛାତ୍ରୀ ସିଟ୍ ପାଇଛନ୍ତି। ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କହିଛି, ସ୍ୱଚ୍ଛ ଓ ମେଧାଭିତ୍ତିକ ନାମଲେଖା ପ୍ରକ୍ରିୟା ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମାନ ସୁଯୋଗ ମିଳିଛି।