ଝାରସୁଗୁଡ଼ାରେ ଦୁର୍ନୀତି ବିରୋଧରେ ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ। ରବିବାର ଡ୍ୟୁଟି ଦେବା ନାଁରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏମ୍ସିଏଲ୍ (MCL)ର ଜଣେ ଅଧିକାରୀଙ୍କୁ ରେଡହ୍ୟାଣ୍ଡ ଧରିଛି ସିବିଆଇ। ଗିରଫ ଅଧିକାରୀ ହେଲେ ଝାରସୁଗୁଡ଼ା ଓରିଏଣ୍ଟ ସବ୍-ଏରିଆର ସିକ୍ୟୁରିଟି ଇନ୍ସପେକ୍ଟର ବଂଶୀ ରାମ।
ଅଭିଯୋଗ ଅନୁଯାୟୀ, ଜଣେ କର୍ମଚାରୀଙ୍କୁ ପାଳି ଅନୁସାରେ ରବିବାର ଡ୍ୟୁଟିରେ ନିଯୁକ୍ତ କରିବା ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗକାରୀ ସିବିଆଇର ଦ୍ୱାରସ୍ଥ ହେବା ପରେ ଏକ ସ୍ୱତନ୍ତ୍ର ଟ୍ରାପ୍ ଅପରେସନ୍ କରାଯାଇଥିଲା। ଯୋଜନା ମୁତାବକ ଅଭିଯୋଗକାରୀ ବଂଶୀ ରାମଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ସିବିଆଇ ଟିମ୍ ଚଢ଼ାଉ କରି ତାଙ୍କୁ ରଙ୍ଗେହାତ କାବୁ କରିଥିଲା। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି।
ଗିରଫ ପରେ ବଂଶୀ ରାମଙ୍କୁ ପଚରାଉଚରା କରାଯାଇଥିଲା। ପରେ ତାଙ୍କୁ ଆଇନ ଅନୁସାରେ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା MCL ରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସରକାରୀ ସଂସ୍ଥାରେ ଦୁର୍ନୀତିକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।