ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ଚାକିରି ଦେବାର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ବ୍ୟୁଟି ପାର୍ଲରକୁ ଡାକି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଖଣ୍ଡଗିରି ଥାନା ଅଞ୍ଚଳର ଏକ ପାର୍ଲରରେ ଘଟିଥିବା ବେଳେ, ପୋଲିସ ପାର୍ଲର ମାଲିକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଜଣେ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି।
ଅଭିଯୋଗ ଅନୁଯାୟୀ, ବାଲେଶ୍ୱର ଜିଲ୍ଲାର ଜଣେ ଯୁବତୀ ଖଣ୍ଡଗିରି ଅଞ୍ଚଳରେ ପାର୍ଟ-ଟାଇମ୍ ଚାକିରି ଖୋଜୁଥିଲେ। ଏହି ସମୟରେ ତାଙ୍କୁ ଏକ ପାର୍ଲରରେ କାମ ଦେବାକୁ କହି ଡକାଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
ଘଟଣା ଜଣାପଡ଼ିବା ପରେ ଖଣ୍ଡଗିରି ଥାନା ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରାଯାଇଛି। ପୋଲିସ ଘଟଣାସ୍ଥଳକୁ ଯାଇ ପାର୍ଲର ଭିତରେ ଯାଞ୍ଚ କରିବା ସହ ପ୍ରମାଣ ସଂଗ୍ରହ କରିଛି।
ଏହି ଘଟଣା ରାଜଧାନୀରେ ମହିଳା ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଚାକିରିର ଲୋଭ ଦେଖାଇ ଯୁବତୀମାନଙ୍କୁ ଫସାଇବା ଏବଂ ସେମାନଙ୍କ ସହ ଅପରାଧ ଘଟାଇବା ଭଳି ଘଟଣା ଚିନ୍ତା ବଢ଼ାଇଛି। ପୋଲିସ କହିଛି, ମାମଲାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।