ଖପ୍ରାଖୋଲ: ବାରହା ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ ତାରରେ ଶୀକାର ହୋଇଗଲେ ଯୁବକ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ନୂଆପାଲି ଜଙ୍ଗଲରେ ଏଭଳି ଏକ ଅଘଟଣ ଘଟିଛି । ପଶୁ ଶିକାର ପାଇଁ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ କୁର୍ଥୁଲା ଗାଁର ଧରମ ମଲ୍ଲିକଙ୍କ ପୁଅ ଗଦାଧର ମଲ୍ଲିକ (୩୫)। ଅନ୍ୟପକ୍ଷେ ଶିକାରୀମାନେ ତାଙ୍କ ଶବକୁ ପୋତି ଦେଇଛନ୍ତି । ପୋଲିସ ଏହି ମାମଲାରେ ଜଣେ ନାବାଳକ ସମେତ ୬ ଜଣକୁ ଗିରଫ କରିଛି।
ପୋଲିସ ସୂଚନା ଅନୁସାରେ, ଗଦାଧର ମଲ୍ଲିକ ଗତକାଲି ରାତିରେ ନିକଟସ୍ଥ ଚେକ୍ ଡ୍ୟାମ୍କୁ ମାଛ ଧରିବାକୁ ଯାଇଥିଲେ । କିନ୍ତୁ ସେ ଆଉ ଘରକୁ ଫେରିନଥିଲେ । ବାରହା ପାଇଁ ବସାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା । ଶିକାରୀ ମାନେ ଗଦାଧରଙ୍କୁ ଦେଖି ତୁରନ୍ତ ଶବକୁ ନେଇ ନୂଆପାଲି ଜଙ୍ଗଲରେ ପୋତି ଦେଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ତାଙ୍କୁ ପାଇନଥିଲେ । ସକାଳେ ହେବାରୁ ଗ୍ରାମବାସୀ ମଧ୍ୟ ଗଦାଧରଙ୍କୁ ଖୋଜି ଥିଲେ । ପରେ ଶିକାରୀମାନେ ତାଙ୍କୁ ପୋତି ଦେଇଥିବା ଜଣାପଡ଼ିଥିଲା ।
ଏ ନେଇ ଗଦାଧରଙ୍କ ପତ୍ନୀ ଯଶୋଦା ଭୁଏ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣା ସ୍ଥଳରେ ପହଁଚିଥିଲା । ସନ୍ଧାନୀ କୁକୁର ସାହାଯ୍ୟରେ ଗଦାଧରଙ୍କ ଶବକୁ ଉଦ୍ଧାର କରାଯାଇଥିଲା ।
ଏହି ମାମଲାରେ ପୋଲିସ ଜଣେ ନାବାଳକ ସମେତ ମୋଟ ୬ ଜଣକୁ ଗିରଫ କରିଛି। ଯେଉଁଥିରେ ଗୋଟିଏ ପରିବାର ତିନି ଜଣ ସଦସ୍ୟ ସାମିଲ ଅଛନ୍ତି । ଅଭିଯୁକ୍ତମାନେ ହେଲେ ଶ୍ରୀଧର ଭୁଏଙ୍କ ତିନି ପୁଅ ଡିଲେଶ୍ୱର (୨୮), ରାଜେଶ୍ୱର (୩୫) ଓ ଦୟା ଭୁଏ (୩୨), ପରୀକ୍ଷିତ ବରିହାଙ୍କ ପୁଅ ଦିନବନ୍ଧୁ ଭୁଏ (୩୦) ଓ ଡମ୍ବରୁଧର ଭୁଏଙ୍କ ପୁଅ କୃଷ୍ଣ ଭୁଏ (୩୦) ସମସ୍ତେ କୁର୍ଥୁଲା ବାସିନ୍ଦା ଅଟନ୍ତି। ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।