ଢେଙ୍କାନାଳ ଜିଲ୍ଲାର ସାପୁଆ ଡ୍ୟାମରେ ଘଟିଛି ଏକ ଦୁଃଖଦ ଅଘଟଣ। ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇ ଡ୍ୟାମରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଯୁବକ ହେଲେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବେଢ଼ା ଗ୍ରାମର ରାଜେନ୍ଦ୍ର ବିଶ୍ୱାଳ।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ ରାଜେନ୍ଦ୍ର ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହ ସାପୁଆ ଡ୍ୟାମ ବୁଲିବାକୁ ଯାଇଥିଲେ। ବୁଲାବୁଲି ସମୟରେ ସେ ଡ୍ୟାମରେ ଗାଧୋଇବା ପାଇଁ ପାଣିକୁ ଓହ୍ଲାଇଥିଲେ। ହେଲେ ହଠାତ୍ ଗଭୀର ପାଣିରେ ଚାଲିଯିବାରୁ ସେ ବୁଡ଼ିଯାଇଥିଲେ।
ଖବର ପାଇ ରାସୋଳ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଗୁରୁତର ଅବସ୍ଥାରେ ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅକାଳ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି। ସାପୁଆ ଡ୍ୟାମ ପରି ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ଓ ସତର୍କତା ନେଇ ମଧ୍ୟ ପୁଣିଥରେ ପ୍ରଶ୍ନ ଉଠିଛି।