ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜଧାନୀ ବାସିନ୍ଦାଙ୍କୁ ବଡ଼ ଉପହାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବହୁ ପ୍ରତିକ୍ଷିତ ଏକାମ୍ର କାନନ ରାସ୍ତା ଉଦ୍ଘାଟନ କରିଛନ୍ତି ।
ଏହି ରାସ୍ତା ଗଣିତ ପ୍ରତିଷ୍ଠାନରୁ ଇନ୍ଫୋସିଟି ଦେଇ ଏକାମ୍ର କାନନ ଯାଏ ଲମ୍ବିଛି । ଏହି ନୂଆ ରାସ୍ତା ଯୋଗୁଁ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଭିଡ଼ ହ୍ରାସ ପାଇବ । ମାତ୍ର ୧୫ ମିନିଟ୍ ରେ ବିନା ଟ୍ରାଫିକରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚିଯିବେ । ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ରାସ୍ତା ଅତ୍ୟନ୍ତ ଜରୁରୀ ଥିଲା, ଆଜିର ଦିନ ଏକ ଐତିହାସିକ ଦିନ । ସେ ନିଜେ ମଧ୍ୟ ଏହି ଟ୍ରାଫିକ୍ ସମସ୍ୟା ଭୋଗିଛନ୍ତି । ବସ୍ତି ବାସିନ୍ଦାଙ୍କ ସହିତ ସରକାର ଫୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହା ପରେ ସମାଧାନର ରାସ୍ତା ମଧ୍ୟ ଫିଟିଥିଲା । ସମସ୍ତଙ୍କର ଆନ୍ତରିକତା ନ ଥିଲେ ଏହା ସମ୍ଭବ ହୋଇପାରିନଥାଆନ୍ତା । ଏଥିପାଇଁ ପୂର୍ତ୍ତ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ, ମେୟର ଏବଂ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
୨୦୧୬ରେ ଏକାମ୍ର କାନନ-ଆଇଏମ୍ଏ ରାସ୍ତାର ଯୋଜନା କରାଯାଇଥିଲା । ଯାହାର ଲମ୍ବା ୨୦୦ ଫୁଟ ରହିଛି । ୧୦ କୋଟି ୭୭ ଲକ୍ଷ ବିନିମୟରେ ଏହି ୬ ଥାକିଆ ରାସ୍ତା ନିର୍ମାଣ କରାଯାଇଛି । ହାତିଆଶୁଣୀଠୁ ଓଇଆରସି ଯାଏଁ କାମ ଶେଷ ହୋଇଥିଲା। ପଥରଗାଡିଆଠୁ ଆଇଏମଏ ଯାଏଁ କାମ ସରିଥିଲା। କିନ୍ତୁ ମାତ୍ର ସାଲିଆ ସାହି ଓ ଚୁକୋଳି ଗାଁରେ ବସ୍ତି ଉଚ୍ଛେଦ ଯୋଗୁଁ କାମ ହୋଇ ପାରୁନଥିଲା । ତେବେ ସରକାର ବେଆଇନ ଭାବେ ରହିଥିବା ବସ୍ତି ବାସିନ୍ଦାଙ୍କୁ ବିଭିନ୍ନ ସମୟରେ ଉଚ୍ଛେଦ କରିଥିଲେ । ଯାହାକୁ ନେଇ ପ୍ରବଳ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା ।
ଏହି ଅବସରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।