ଗଞ୍ଜାମ: ଓଡ଼ିଶାରେ ନବୀକରଣ ଶକ୍ତି କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ୍ ଅନ୍ତର୍ଗତ ସୁରଖାଦେଇପୁର ଗାଁରେ ଶୁକ୍ରବାର ଉଦ୍ଘାଟିତ ହୋଇଛି ରାଜ୍ୟର ସର୍ବବୃହତ ସୋଲାର ପାୱାର ପ୍ରକଳ୍ପ। ଯୁବ ଉଦ୍ୟୋଗୀ କିଶାନ କୁମାର ରଥଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ ନିର୍ମିତ ଏହି ପ୍ରକଳ୍ପ ପ୍ରାୟ ୭ ଏକର ଜମିରେ ବିସ୍ତୃତ। ଏଠାରେ ସ୍ଥାପିତ ସୋଲାର ପ୍ୟାନେଲ ମାଧ୍ୟମରେ ୨.୬ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କ୍ଷମତା ରହିଛି।
ପ୍ରକଳ୍ପରୁ ପ୍ରତିଦିନ ୧୫ ହଜାରରୁ ଅଧିକ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ହେବା ସହ ଦୈନିକ ପ୍ରାୟ ୬୦ ହଜାର ଟଙ୍କା ଆୟ ହେବ ବୋଲି ଆଶା କରାଯାଉଛି। GRIDCO ପ୍ରତି ୟୁନିଟ୍ ବିଦ୍ୟୁତକୁ ୪.୪୦ ଟଙ୍କା ଦରରେ କ୍ରୟ କରିବା ପାଇଁ ଚୁକ୍ତି କରିଛି। ଏହି ପ୍ରକଳ୍ପ ଫଳରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସେବା ଆହୁରି ସୁଦୃଢ଼ ହେବା ସହ ବିଦ୍ୟୁତ କାଟ ସମସ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ପ୍ରକଳ୍ପର ଉଦ୍ଘାଟନ କରିଥିବା ଦକ୍ଷିଣାଞ୍ଚଳ ଆର୍ଡିସି ବୀରସେନ ପ୍ରଧାନ କହିଛନ୍ତି, ଏହା କେବଳ ଗଞ୍ଜାମ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ମାଇଲଖୁଣ୍ଟ। ସ୍ଥାନୀୟ ଲୋକଙ୍କ ସହଯୋଗ ମିଳିଲେ ଆଗାମୀ ଦିନରେ ଅଞ୍ଚଳରେ ବିଦ୍ୟୁତ ସମସ୍ୟା ବହୁ ପରିମାଣରେ ଦୂର ହେବ। ସ୍ୱଚ୍ଛ ଓ ସବୁଜ ଶକ୍ତି ଉତ୍ପାଦନ ଦିଗରେ ଏହି ପ୍ରକଳ୍ପ ଓଡ଼ିଶା ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।