ଅନୁଗୋଳ: ବ୍ରାହ୍ମଣୀ ନଦୀରେ ମାଛ ଧରିବାକୁ ଯାଇ ଅଘଟଣର ଶିକାର ହେଲେ ଯୁବକ। ହଠାତ୍ ଆସିଥିବା ଝଡ଼ ଯୋଗୁଁ ଡଙ୍ଗା ଓଲଟି ଯିବାରୁ ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲାରେ।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ନନ୍ଦିଝରି ଗାଁର କିଛି ଯୁବକ ଗତକାଲି (ଗୁରୁବାର) ସନ୍ଧ୍ୟାରେ ବ୍ରାହ୍ମଣୀ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ସେମାନେ ନଦୀ ମଝିରେ ଥିବାବେଳେ ହଠାତ୍ ପାଗ ବଦଳି ଯାଇଥିଲା। ପ୍ରବଳ ପବନ ଓ ଝଡ଼ ଯୋଗୁଁ ଡଙ୍ଗାଟି ଭାରସାମ୍ୟ ହରାଇ ନଦୀ ମଝିରେ ଓଲଟି ପଡ଼ିଥିଲା।
ଡଙ୍ଗାରେ ଥିବା କିଛି ଯୁବକ ପହଁରି ପହଁରି କୂଳକୁ ଫେରି ଆସିଥିଲେ। ତେବେ ଦୁଇ ଜଣ ଯୁବକ ନଦୀରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ନିଖୋଜ ଯୁବକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ଅନିଲ ଜାମୁଣ୍ଡା ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଘଟଣା ପରେ ପରିବାର ଲୋକ ଓ ଗ୍ରାମବାସୀମାନେ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ସେମାନଙ୍କର କୌଣସି ସନ୍ଧାନ ନ ମିଳିବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଗତ ରାତିରୁ ନଦୀରେ ଜୋରଦାର ଖୋଜାଖୋଜି ଚଳାଇଛନ୍ତି। ତେବେ ବର୍ତମାନ (ରିପୋର୍ଟ ଲେଖାହେବା) ସୁଦ୍ଧା ନିଖୋଜ ଦୁଇ ଯୁବକଙ୍କ କୌଣସି ପତ୍ତା ମିଳିନାହିଁ।
"ମୋ ପୁଅ ଆଉ ଛଅ ଜଣଙ୍କ ସହ ମାଛ ଧରିବାକୁ ଯାଇଥିଲା। ଝଡ଼ ଆସିବା ପରେ ସେ ଜାଲ ଫିଙ୍ଗି ଦେଇ ପହଁରି କୂଳକୁ ଆସିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଫେରିନାହିଁ," ବୋଲି କହିଛନ୍ତି ଅନିଲଙ୍କ ବାପା। ଏବେ ନିଖୋଜ ଯୁବକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପରିବାର ଲୋକ ଅପେକ୍ଷାରେ ଥିବା ବେଳେ ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି ରହିଛି।