ଢେଙ୍କାନାଳ: ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ଶେଷରେ ଚରମ ପଦକ୍ଷେପ ନେଲେ ବାପା-ପୁଅ। ପୋଲିସର ଏକପାଖିଆ କାର୍ଯ୍ୟାନୁଷ୍ଠାନ ଓ ନିର୍ଯ୍ୟାତନା ଅଭିଯୋଗ କରି ଢେଙ୍କାନାଳ ଏସ୍ପି କାର୍ଯ୍ୟାଳୟ ପରିସରରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଜଣେ ଆଇନ ଛାତ୍ର ଓ ତାଙ୍କ ବାପା। ତେବେ କାର୍ଯ୍ୟାଳୟ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି।
ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ। ଆତ୍ମାହୁତି ଉଦ୍ୟମ କରିଥିବା ବାପା-ପୁଅ ହେଲେ ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ରାଣୀପାଳ ଗାଁର ପଦ୍ମନାଭ ରାଉତ ଓ ତାଙ୍କ ପୁଅ ସରୋଜ ରାଉତ। ସରୋଜ କଟକର ମଧୁସୂଦନ ଲ' କଲେଜର ଦ୍ୱିତୀୟ ବର୍ଷର ଆଇନ ଛାତ୍ର।
ସୂଚନା ଅନୁସାରେ, ପୈତୃକ ସମ୍ପତ୍ତିକୁ ନେଇ ଦୀର୍ଘଦିନ ଧରି ଜମିଜମା ବିବାଦ ଲାଗି ରହିଥିଲା। ଏନେଇ ଉଭୟ ପକ୍ଷ ଭାପୁର ଫାଣ୍ଡି ପୋଲିସକୁ ଅବଗତ କରିଥିଲେ। ହେଲେ ସରୋଜଙ୍କ ଅଭିଯୋଗ, ସମ୍ପୃକ୍ତ ପୋଲିସ ଅଧିକାରୀ ଏକପାଖିଆ ଭାବେ ତାଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହା ଫଳରେ ତାଙ୍କ ଶିକ୍ଷାଗତ ଓ ଭବିଷ୍ୟତ କ୍ୟାରିୟର ପ୍ରଭାବିତ ହେଉଥିବା ସେ ଅଭିଯୋଗ କରିଛନ୍ତି।
ପୋଲିସ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଶୁକ୍ରବାର ଏସ୍ପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ବାପା-ପୁଅ। ସେଠାରେ ଉଭୟ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ତେବେ ଉପସ୍ଥିତ କର୍ମଚାରୀମାନେ ତୁରନ୍ତ ହସ୍ତକ୍ଷେପ କରି ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।
ଘଟଣାକୁ ନେଇ ଢେଙ୍କାନାଳ ଏସ୍ପି କହିଛନ୍ତି, “ଆତ୍ମାହୁତି ଉଦ୍ୟମ କରିଥିବା ବାପା ଓ ପୁଅଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଅଭିଯୋଗ ଶୁଣାଯିବ ଏବଂ ଆଇନ ଅନୁଯାୟୀ ଏହାର ସମାଧାନ କରାଯିବ।”