ନୂଆଦିଲ୍ଲୀ: ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତ ସରକାର ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ସମ୍ବେଦନଶୀଳ ମାମଲାରେ ଭାରତ ପକ୍ଷରୁ ଆମେରିକୀୟ କୂଟନୀତିଜ୍ଞଙ୍କୁ ତଲବ କରାଯାଇ ଦୃଢ଼ ପ୍ରତିବାଦ ଜଣାଯାଇଛି। ବିଦେଶ ମନ୍ତ୍ରାଳୟର ଅତିରିକ୍ତ ସଚିବ ନାଗରାଜ ନାଇଡୁ ଆମେରିକା ସାମ୍ନାରେ ଏହି ଆପତ୍ତି ଉଠାଇବା ସହ ବାଣିଜ୍ୟିକ ଜାହାଜ ଏବଂ ଭାରତୀୟ ନାବିକମାନଙ୍କୁ ଟାର୍ଗେଟ୍ କରାଯିବା ଘଟଣାକୁ ସୂଚେଇ ଦେଇଛନ୍ତି। ଏଭଳି ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ସହ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଦାବି କରିଛି।
୩ ଦିନରେ ୩ଟି ଜାହାଜକୁ ଟାର୍ଗେଟ୍
ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନ ଅନୁଯାୟୀ, ଗତ ବୁଧବାର ଦିନ ବାଣିଜ୍ୟିକ ଜାହାଜ ‘ଏମଟି ସେଟେବେଲୋ’ ଉପରେ ଭୟାବହ ଆକ୍ରମଣ ହୋଇଥିଲା। ଏହି ଜାହାଜରେ ୨୪ ଜଣ ଭାରତୀୟ କ୍ରୁ ମେମ୍ବର ଥିଲେ। ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡର ପାଲାୱା ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଏହି ଦୁଃଖଦ ଘଟଣାରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ଏହା ବ୍ୟତୀତ ଗତ ୩ ଦିନ ମଧ୍ୟରେ ଭାରତୀୟ ଜାହାଜ ଉପରେ ଏହା ତୃତୀୟ ଆକ୍ରମଣ ଥିଲା। ଅନ୍ୟ ଦୁଇଟି ଆକ୍ରମଣ ‘ଏମଟି ଜଲବୀର’ ନାମକ ଜାହାଜ ଉପରେ ଓମାନର ଶିନାସ ବନ୍ଦର ନିକଟରେ ହୋଇଛି। ଏହି ଜାହାଜରେ ମଧ୍ୟ ୨୦ରୁ ଅଧିକ ଭାରତୀୟ ନାବିକ ଥିଲେ, ତେବେ ସୌଭାଗ୍ୟବଶତଃ ଏହି ଦୁଇଟି ଆକ୍ରମଣରେ ସମସ୍ତ ଭାରତୀୟ ସୁରକ୍ଷିତ ଥିବା ଜଣାପଡ଼ିଛି।
ଆମେରିକାର ସଫେଇ
ଆମେରିକା ପକ୍ଷରୁ ୨ଟି ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ସ୍ୱୀକାର କରାଯାଇଛି। ତେବେ ସମ୍ପୃକ୍ତ ଅଏଲ୍ ଟ୍ୟାଙ୍କର ଗୁଡ଼ିକ ନିୟମ ପାଳନ କରୁନଥିଲେ ବୋଲି ଆମେରିକା ସଫେଇ ଦେଇଛି। ଅପରପକ୍ଷରେ, ଓମାନରେ ଥିବା ଭାରତୀୟ ଦୂତାବାସ ଏହି ସମ୍ପୂର୍ଣ୍ଣ ଘଟଣା ଏବଂ ଆକ୍ରମଣ ପରର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଭାରତୀୟ ନାବିକମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି ବୋଲି ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ କରିଛି।