କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ସରିବା ପରେ ଏବେ ଚର୍ଚ୍ଚାରେ ଏକ ବଡ଼ ଅଗ୍ନିକାଣ୍ଡ। କୋଲକାତାର ଅଲିପୁର ଅଞ୍ଚଳରେ ଥିବା ଏକ ସରକାରୀ କୋଠାରେ ଭୟଙ୍କର ନିଆଁ ଲାଗି ପ୍ରାୟ ୪ ହଜାରରୁ ଅଧିକ ଇଭିଏମ୍ (EVM) ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଏହି EVM ଗୁଡ଼ିକ ଚଳିତ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୧୦ଟି ନିର୍ବାଚନମଣ୍ଡଳୀରେ ବ୍ୟବହୃତ ହୋଇଥିଲା।
ବୁଧବାର ଘଟିଥିବା ଏହି ଅଗ୍ନିକାଣ୍ଡ ଏକ ୯ ମହଲା ବିଶିଷ୍ଟ ସରକାରୀ କୋଠାରେ ଘଟିଥିଲା। କୋଠାଟିରେ ଦକ୍ଷିଣ ୨୪ ପରଗଣା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମେତ ଅନେକ ସରକାରୀ ବିଭାଗ କାର୍ଯ୍ୟ କରୁଥିଲେ। ଘଟଣା ପରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ବହୁ ମୂଲ୍ୟବାନ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି।
ଘଟଣାକୁ ନେଇ ରାଜ୍ୟର ଅଗ୍ନିଶମ ଓ ଜରୁରୀକାଳୀନ ସେବା ରାଷ୍ଟ୍ରମନ୍ତ୍ରୀ କୌଶିକ ଚୌଧୁରୀ ବଡ଼ ସନ୍ଦେହ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ଏହା ସାଧାରଣ ଅଗ୍ନିକାଣ୍ଡ ପରି ଲାଗୁନାହିଁ। ନିଆଁ ପ୍ରଥମେ ଦ୍ୱିତୀୟ ଓ ତୃତୀୟ ମହଲାରେ ଲାଗିଥିଲା, କିନ୍ତୁ କିପରି ଚତୁର୍ଥ, ପଞ୍ଚମ ଓ ଷଷ୍ଠ ମହଲାକୁ ଛାଡ଼ି ସପ୍ତମ ଓ ଅଷ୍ଟମ ମହଲାରେ ପହଞ୍ଚିଲା, ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି।
ଘଟଣାରେ ଏଫ୍ଆଇଆର୍ ରୁଜୁ ହୋଇଥିବା ବେଳେ ପୁଲିସ ଓ ଫରେନସିକ୍ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଅଗ୍ନିକାଣ୍ଡ ପଛରେ କୌଣସି ଷଡ଼ଯନ୍ତ୍ର କିମ୍ବା ଭଙ୍ଗାରୁଜା ରହିଛି କି ନାହିଁ, ସେନେଇ ଖୋଳତାଡ଼ ଚାଲିଛି। ନିର୍ବାଚନ ପରେ ହଜାର ହଜାର EVM ପୋଡ଼ିଯିବା ଘଟଣା ଏବେ ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଝଡ଼ ସୃଷ୍ଟି କରିଛି।