ବଲାଙ୍ଗିର: ଆଉ କେଇଟା ଦିନ ପରେ ଅନୁଷ୍ଠିତ ହେବ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା । ମା' ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ I ଜୁନ୍ ୧୯ ତାରିଖରେ ଶୀତଳ ଷଷ୍ଠୀ ପାଳନ କରାଯିବ । ପଶ୍ଚିମ ଓଡ଼ିଶାର ଏହା ଏକ ପ୍ରମୁଖ ପର୍ବ । ଏଥିପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ଶୀତଳ ଷଷ୍ଠୀ ମହୋତ୍ସବକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମହୋତ୍ସବ ସମୟରେ ଭକ୍ତ ଓ ସାଧାରଣ ଲୋକଙ୍କ ସୁବିଧା, ସୁରକ୍ଷା ଏବଂ ମୌଳିକ ସେବାର ସୁଚାରୁ ପରିଚାଳନା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ମହୋତ୍ସବ ସମୟରେ ସହରର ବିଭିନ୍ନ ପୂଜା ମଣ୍ଡପ ଓ ଶୋଭାଯାତ୍ରା ମାର୍ଗରେ ବିଦ୍ୟୁତ୍ ସରବରାହ, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଓ ସ୍ୱଚ୍ଛତା ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ସମ୍ପୃକ୍ତ ବିଭାଗଗୁଡ଼ିକ ନିଜ ନିଜ ଦାୟିତ୍ୱ ସଠିକ୍ ଭାବେ ତୁଲାଇବା ସହ କୌଣସି ପ୍ରକାର ଅବହେଳା ନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ମହୋତ୍ସବ ଅବସରରେ ସହରରେ ଯାନବାହନ ଚଳାଚଳକୁ ସୁବ୍ୟବସ୍ଥିତ କରିବା, ଟ୍ରାଫିକ ନିୟନ୍ତ୍ରଣ, ସୁରକ୍ଷା ଓ ଅଗ୍ନିକାଣ୍ଡ ଭଳି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି ।
ସେହିପରି ମହୋତ୍ସବରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ଆଇନଶୃଙ୍ଖଳା ବଜାୟ ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପର୍ଯ୍ୟାପ୍ତ ପୋଲିସ ବଳ ମୁତୟନ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ ସୂଚନା ଦେଇଛନ୍ତି ।
ବୈଠକରେ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ।ଏଥିସହ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ବୈଠକରେ ଯୋଗଦେଇ ମହୋତ୍ସବ ପରିଚାଳନା ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ଓ ମତାମତ ରଖିଥିଲେ। ଶୀତଳଷଷ୍ଠୀ ମହୋତ୍ସବ ବଲାଙ୍ଗିରର ଏକ ପ୍ରମୁଖ ସାଂସ୍କୃତିକ ଓ ଧାର୍ମିକ ପର୍ବ ହୋଇଥିବାରୁ ଏହାକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ପ୍ରଶାସନ, ପୂଜା କମିଟି ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।