ଶ୍ରୀନଗର: ଜାମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଏକ ଅଘଟଣ ଘଟିଯାଇଛି । ଏଲଓସିରେ ଶୁକ୍ରବାର ତାଲିମବେଳେ ଏକ ଗ୍ରେନେଡ୍ ବିସ୍ଫୋରଣ ହୋଇଛି । ଫଳରେ ଦୁଇ ଜଣ ସେନା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।
ସେନୀ ଅଧିକାରୀମାନେ କହିବା ମୁତାବକ, ଆଜି ଏଲଓସି ପାଖରେ ଥିବା ଫରୱାର୍ଡ ଅଞ୍ଚଳରେ ସେନାର ଏକ ତାଲିମ ଅଭ୍ୟାସ ଚାଲିଥିଲା । ଏହି ସମୟରେ ଦୁର୍ଘଟଣାବଶତଃ ଗ୍ରେନେଡ୍ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ତୁରନ୍ତ ପୁଞ୍ଚର ୪୨୫ ଆର୍ମି ଫିଲ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ବୁଧବାର ଜମ୍ମୁ ଓ କାଶ୍ମୀରର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଏକ ଦୁର୍ଘଟଣାଜନିତ ବିସ୍ଫୋରଣରେ ଦୁଇଜଣ ଭାରତୀୟ ଯବାନଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ବାରାମୁଲ୍ଲା ଜିଲ୍ଲାର କମଲକୋଟ ଅଞ୍ଚଳରେ ଘଟିଥିଲା। ମୃତ ଯବାନ ମାନେ ଥିଲେ ଅର୍ଜୁନ ଯାଧବ ଏବଂ ବିକ୍ରମ ବାଲକୃଷ୍ଣ । ଉଭୟ ମହାରାଷ୍ଟ୍ରର । ସେମାନେ ୮ ରାଷ୍ଟ୍ରୀୟ ରାଇଫଲ୍ସରେ କାର୍ୟ୍ୟରତ ଥିଲେ। ତେବେ ଏହି ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ ।