ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କୁ ସର୍ବୋଚ୍ଚ ଅଦାଲତରୁ ଲାଗିଛି ଏକ ବଡ଼ ଝଟକା। ରିଟର୍ଣ୍ଣିଂ ଅଫିସର (RO) ତାଙ୍କ ନାମାଙ୍କନ ପତ୍ରକୁ ବାତିଲ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଶୁକ୍ରବାର ଦିନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କଂଗ୍ରେସ ନେତ୍ରୀଙ୍କ ଆବେଦନକୁ ସିଧାସଳଖ ଖାରଜ କରିଦେଇଛନ୍ତି। ଏହି ମାମଲାରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ଏବଂ ଏହି ଆବେଦନ ଶୁଣାଣି ଯୋଗ୍ୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ।
ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ନିୟମାବଳୀକୁ କଡ଼ାକଡ଼ି ଭାବେ ଉଲ୍ଲେଖ କରିଛନ୍ତି । କୋର୍ଟ କହିଛନ୍ତି ଯେ, ନିର୍ବାଚନୀ ନିୟମ ଅନୁଯାୟୀ, 'ଫର୍ମ ୨୬'ରେ ପ୍ରାର୍ଥୀଙ୍କ ବିରୋଧରେ ଥିବା ସମସ୍ତ ଅପରାଧିକ ମାମଲାର ସୂଚନା ଦେବା ବାଧ୍ୟତାମୂଳକ। ଆଫିଡେଭିଟ୍ ଜରିଆରେ ସମସ୍ତ ତଥ୍ୟ ସ୍ପଷ୍ଟ ଭାବେ ଦର୍ଶାଇବାକୁ ହେବ। କେବଳ ସେହି ମାମଲା ଗୁଡ଼ିକର ସୂଚନା ଦେବାକୁ ହେବ ଯେଉଁଥିରେ ଚାର୍ଜସିଟ୍ ଦାଖଲ ହୋଇଛି, ତାହା ନୁହେଁ। ବରଂ ପ୍ରାର୍ଥୀଙ୍କ ନାଁରେ ଥିବା ସମସ୍ତ ଅପରାଧିକ ମାମଲା ବିଷୟରେ ଜଣାଇବାକୁ ପଡ଼ିବ।
ଅଦାଲତ ପୂର୍ବରୁ 'ପୁନ୍ନୁ ସ୍ୱାମୀ ମାମଲା' ଉଲ୍ଲେଖ କରି କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ କୋର୍ଟ ସେଥିରେ ହସ୍ତକ୍ଷେପ କରିପାରିବେ ନାହିଁ। ନାମାଙ୍କନ ବାତିଲ ପ୍ରସଙ୍ଗରେ କୌଣସି ରିଟ୍ ଆବେଦନ ଗ୍ରହଣ କରାଯାଇପାରିବ ନାହିଁ। ଯଦି କୌଣସି ଆପତ୍ତି ଥାଏ, ତେବେ କେବଳ 'ଇଲେକସନ ପିଟିସନ'ମାଧ୍ୟମରେ ହିଁ ଏହାର ପ୍ରତିକାର କରାଯାଇପାରିବ। ଏହି ଆଧାରରେ ରିଟର୍ଣ୍ଣିଂ ଅଫିସରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବୈଧ ବୋଲି ଦର୍ଶାଇଛନ୍ତି।
କୋର୍ଟରେ କଂଗ୍ରେସ ପକ୍ଷରୁ ଯୁକ୍ତି ବାଢ଼ିଲେ ଅଭିଷେକ ମନୁ ସିଙ୍ଘଭୀ ?
ମୀନାକ୍ଷୀ ନଟରାଜନଙ୍କ ପକ୍ଷ ରଖି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କୋର୍ଟରେ ଜୋରଦାର ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ, ରିଟର୍ଣ୍ଣିଂ ଅଫିସରଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଅଭିଯୋଗରେ ମୋ ମହକିଲଙ୍କ ବିରୋଧରେ କୌଣସି ଗୁରୁତର ତଥ୍ୟ ନାହିଁ। ଯଦି କୌଣସି ମାମଲାରେ ଆରୋପ ହିଁ ଗଠନ ହୋଇନାହିଁ, ତେବେ ପ୍ରାର୍ଥୀ ସେହି ସୂଚନା କାହିଁକି ଦେବେ? ଯଦି RO ଏକତରଫା ଓ ମନମୁଖୀ ଭାବେ କାମ କରନ୍ତି, ତେବେ କୋର୍ଟ ନିଶ୍ଚିତ ଭାବେ ଏଥିରେ ହସ୍ତକ୍ଷେପ କରିବା ଉଚିତ।"
ସିଙ୍ଘଭୀ ନିର୍ବାଚନ କମିଶନଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଥିଲେ ଯେ ସେ କମିଶନଙ୍କ ନିକଟକୁ ଯାଇ ଘଣ୍ଟାଏ କାଳ ଯୁକ୍ତି ବାଢ଼ିଥିଲେ ମଧ୍ୟ ସମ୍ବିଧାନର ରକ୍ଷକ ସାଜିଥିବା କମିଶନ ଏହି ପ୍ରସଙ୍ଗରେ ଚୁପ୍ ରହିବା ଅତ୍ୟନ୍ତ ନିନ୍ଦନୀୟ।