ଭୁବନେଶ୍ୱର: ବାଲିଅନ୍ତାରେ ଘଟିଥିବା ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଏବେ ନୂଆ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରିପୋର୍ଟରୁ ସାମ୍ନାକୁ ଆସିଥିବା ତଥ୍ୟ ହତ୍ୟାକାଣ୍ଡର ବର୍ବରତାକୁ ସ୍ପଷ୍ଟ କରିଛି। ସୌମ୍ୟଙ୍କ ଶରୀରରେ ମୋଟ ୨୧ଟି ଗଭୀର ଆଘାତ ଚିହ୍ନ ଥିବାବେଳେ ମସ୍ତିଷ୍କରେ ହୋଇଥିବା ଭୟଙ୍କର ଆଘାତ ଓ ରକ୍ତସ୍ରାବ ତାଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ଉଲ୍ଲେଖ କରାଯାଇଛି।
ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ସୌମ୍ୟଙ୍କ ମୁଣ୍ଡ, ବେକ, ପିଠି, ହାତ ସମେତ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ଚିହ୍ନ ରହିଥିଲା। ତଦନ୍ତକାରୀ ଟିମ୍ର ଆକଳନ ଅନୁଯାୟୀ, ତାଙ୍କୁ କୌଣସି କଠିନ ଓ ଭାରି ବସ୍ତୁରେ ବାରମ୍ବାର ଆକ୍ରମଣ କରାଯାଇଥିଲା। ଏହି ଆଘାତଗୁଡ଼ିକ ଏତେ ଭୟଙ୍କର ଥିଲା ଯେ, ମସ୍ତିଷ୍କରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା ଓ ଶେଷରେ ତାଙ୍କ ଜୀବନ ଚାଲିଯାଇଥିଲା।
ଏହାସହ ଘଟଣା ଦିନ ସୌମ୍ୟ କୌଣସି ନିଶାଦ୍ରବ୍ୟ ସେବନ କରିଥିଲେ କି ନାହିଁ, ତାହା ଜାଣିବା ପାଇଁ ତାଙ୍କ ଶରୀରରୁ ବିଭିନ୍ନ ନମୁନା ସଂଗ୍ରହ କରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଛି। ଫରେନସିକ୍ ପରୀକ୍ଷା ରିପୋର୍ଟ ଆସିବା ପରେ ଘଟଣାର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରୁ ପରଦା ହଟିପାରେ ବୋଲି ଅନୁମାନ କରାଯାଉଛି।
ଅନ୍ୟପକ୍ଷରେ, ସୌମ୍ୟ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଥିବା ବେଳେ ତଦନ୍ତକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଥିବା ଏହି ଚାଞ୍ଚଲ୍ୟକର ତଥ୍ୟ ପରେ ମାମଲାର ତଦନ୍ତ ଆହୁରି ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି।