କଟକ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ୱ୍ରମଙ୍କ ରହସ୍ୟମୟ ମୃତ୍ୟୁ ମାମଲା ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ, ଏବେ ମାମଲାରେ ଆଉ ଏକ ବଡ଼ ମୋଡ଼ ଦେଖିବାକୁ ମିଳିଛି। ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ତଥା OAS ଅଧିକାରୀ ଭୀମସେନ ଟୁଡୁ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଗିରଫ ଭୟରେ ଭୀମସେନ ଆଗୁଆ ଜାମିନ ଆବେଦନ କରିଛନ୍ତି। ଭୀମସେନଙ୍କୁ ଗିରଫ କରିବା ପାଇଁ ୩ଟି ଟିମ ଗଠନ କରାଯାଇଛି।
ଚନ୍ଦ୍ରିକାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଭୀମସେନ ଟୁଡୁଙ୍କ ସହ ଥିବା ସମ୍ପର୍କ ଓ ମାନସିକ ଚାପ ଯୋଗୁଁ ଚନ୍ଦ୍ରିକା ଆତ୍ମହତ୍ୟା କରିଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜୋରଦାର କରିଥିବା ବେଳେ, ଫେରାର ଥିବା ଭୀମସେନଙ୍କୁ ଠାବ କରିବା ପାଇଁ ୩ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।
ଏହାରି ଭିତରେ ମାମଲାକୁ ନେଇ ଗୋଟେ ପରେ ଗୋଟେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଚନ୍ଦ୍ରିକା ନେଉଥିବା କଥିତ ଗୋରା ହେବା ଇଞ୍ଜେକ୍ସନ ହେଉ କି ତାଙ୍କ ନାମରେ ଚର୍ଚ୍ଚିତ ଡାଏରୀ, ସବୁକିଛି ଏବେ ତଦନ୍ତର କେନ୍ଦ୍ରବିନ୍ଦୁ ପାଲଟିଛି। ବିଶେଷକରି ଡାଏରୀରେ ଲେଖାଯାଇଥିବା “ଡାଏ... ଡାଏ...” ଶବ୍ଦକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା, ତାହାକୁ ନୂଆ ମୋଡ଼ ଦେଇଛନ୍ତି ଚନ୍ଦ୍ରିକାଙ୍କ ମାମୁ ଝିଅ। ସେ ସ୍ପଷ୍ଟ ଭାବେ ଦାବି କରିଛନ୍ତି ଯେ, ଚର୍ଚ୍ଚାରେ ଥିବା ସେହି ଡାଏରୀ ଚନ୍ଦ୍ରିକାଙ୍କର ନୁହେଁ।
ଏହି ଦାବି ପରେ ତଦନ୍ତର ଦିଗ ବଦଳିଯାଇଛି। ପୋଲିସ ଏବେ ଚନ୍ଦ୍ରିକାଙ୍କ ଲାପଟପ୍, ଟାବଲେଟ୍ ଏବଂ ଅନ୍ୟାନ୍ୟ ଡିଜିଟାଲ ଡିଭାଇସ୍ ଉପରେ ଫୋକସ୍ କରିଛି। ତଦନ୍ତକାରୀଙ୍କ ଆଶା, ଏହି ଡିଭାଇସ୍ଗୁଡ଼ିକରେ ଥିବା ଚାଟ୍ ହିଷ୍ଟ୍ରି, ଇ-ମେଲ୍, ବ୍ୟକ୍ତିଗତ ନୋଟ୍ ଓ ଡିଜିଟାଲ ଡାଟା ମୃତ୍ୟୁ ପଛର ରହସ୍ୟ ଉପରୁ ପରଦା ଉଠାଇପାରେ।
ଚନ୍ଦ୍ରିକାଙ୍କ ମୃତ୍ୟୁ ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ଏବେ ବି ଅନେକ ପ୍ରଶ୍ନ ଉଠୁଛି। ପରିବାର, ସାଧାରଣ ଲୋକ ଓ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଉତ୍କଣ୍ଠା ବଢ଼ୁଥିବା ବେଳେ, ସମସ୍ତଙ୍କ ନଜର ଏବେ ପୋଲିସ ତଦନ୍ତ ଏବଂ ଡିଜିଟାଲ ପ୍ରମାଣ ଉପରେ। ଲାପଟପ୍ ଓ ଟାବଲେଟ୍ରୁ ମିଳୁଥିବା ତଥ୍ୟ ହିଁ ଚନ୍ଦ୍ରିକା ମୃତ୍ୟୁ ମାମଲାର ଅସଲ ସତ୍ୟ ସାମ୍ନାକୁ ଆଣିବ ବୋଲି ଚର୍ଚ୍ଚା ହେଉଛି।