ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପାଇଁ ବିସିସିଆଇପକ୍ଷରୁ ଭାରତୀୟ ଟେଷ୍ଟ ଦଳର ଘୋଷଣା କରାଯାଇଛି। ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଘୋଷିତ ଏହି ଦଳରେ ଜଣେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି। ସେ ହେଉଛନ୍ତି ମଧ୍ୟପ୍ରଦେଶର ଅଲରାଉଣ୍ଡର ସାରାଂଶ ଜୈନ, ଯାହାଙ୍କୁ ବର୍ତ୍ତମାନ ୩୩ ବର୍ଷ ବୟସ। ସେ ଘରୋଇ କ୍ରିକେଟରେ ମଧ୍ୟପ୍ରଦେଶ ଦଳ ପାଇଁ ଖେଳନ୍ତି ଏବଂ ୫୦ରୁ ଅଧିକ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି।
ସାରାଂଶ ଜୈନ ଚଳିତ ମାସ ଶ୍ରୀଲଙ୍କା ବିପକ୍ଷରେ ନିଜର ଦମଦାର୍ ବୋଲିଂ ଏବଂ ବ୍ୟାଟିଂ ପ୍ରଦର୍ଶନ ବଳରେ ଚର୍ଚ୍ଚାକୁ ଆସିଥିଲେ। ଇଣ୍ଡିଆ 'ଏ' ପକ୍ଷରୁ ଶ୍ରୀଲଙ୍କା 'ଏ' ବିପକ୍ଷରେ ଖେଳାଯାଇଥିବା ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ସେ ଅପରାଜିତ ୭୦ ରନ୍ କରିଥିବା ବେଳେ ପ୍ରଥମ ଇନିଂସରେ ୪ଟି ଏବଂ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ୍ ଅକ୍ତିଆର କରିଥିଲେ। ବର୍ତ୍ତମାନ ସେ ଜାତୀୟ ଦଳ ସହିତ ଶ୍ରୀଲଙ୍କା ଗସ୍ତ କରିବେ, ଯେଉଁଠାରେ ୨ଟି ଟେଷ୍ଟ ମ୍ୟାଚ୍ର ସିରିଜ୍ ଖେଳାଯିବ।
ସାରାଂଶ ଜୈନଙ୍କ ପରିଚୟ
ସାରାଂଶ ଜୈନଙ୍କ ଜନ୍ମ ୧୯୯୩ ମସିହା ମାର୍ଚ୍ଚ ୩୧ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ହୋଇଥିଲା। ୩୩ ବର୍ଷ ବୟସ୍କ ଏହି ଖେଳାଳି ଜଣେ ପ୍ରତିଭାବାନ ଅଲରାଉଣ୍ଡର, ଯିଏ ବାମହାତୀ ବ୍ୟାଟିଂ ଏବଂ ଡାହାଣହାତୀ ଅଫ୍-ସ୍ପିନ୍ ବୋଲିଂ କରିଥାନ୍ତି। ମଧ୍ୟପ୍ରଦେଶ ଟି-୨୦ ଲିଗ୍ର ନିଜର ଶେଷ ମ୍ୟାଚ୍ରେ ସେ ଅପରାଜିତ ୪୩ ରନ୍ କରିବା ସହ ୪ଟି ୱିକେଟ୍ ମଧ୍ୟ ହାତେଇଥିଲେ। ତାଙ୍କର ଏହି ପ୍ରବେଶ ଭାରତୀୟ ଦଳର ନିମ୍ନକ୍ରମ ବ୍ୟାଟିଂକୁ ଆହୁରି ଅଧିକ ମଜଭୁତ କରିବ ବୋଲି ଆଶା କରାଯାଉଛି।
କ୍ରିକେଟ୍ କ୍ୟାରିୟର ଏବଂ ରେକର୍ଡ
ସାରାଂଶ ଜୈନ ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ୮୫ଟି ପାଳିରେ ମୋଟ ୨୨୨୩ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୨ଟି ଶତକ ଏବଂ ୧୪ଟି ଅର୍ଦ୍ଧଶତକ ସାମିଲ। ବୋଲିଂରେ ସେ ୧୮୮ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ୧୦ ଥର ଗୋଟିଏ ମ୍ୟାଚ୍ରେ ୫ କିମ୍ବା ଅଧିକ ୱିକେଟ୍ନେବାର ସଫଳତା ହାସଲ କରିଛନ୍ତି। ଲିଷ୍ଟ 'ଏ' ୩୫ଟି ପାଳିରେ ୫୫୩ ରନ୍ କରିବା ସହ ୪୫ଟି ପାଳିରେ ବୋଲିଂ କରି ସେ ୩୮ଟି ୱିକେଟ୍ ନିଜ ନାମରେ କରିଛନ୍ତି।