ତ୍ରିନିଦାଦ: ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଜଷ୍ଟିନ ଗ୍ରୀଭ୍ସ ନିଜର ଚମତ୍କାର ବୋଲିଂ ବଳରେ କ୍ରିକେଟ୍ ଜଗତରେ ଚହଳ ସୃଷ୍ଟି କରିଛନ୍ତି। ତ୍ରିନିଦାଦର ବ୍ରାଏନ୍ ଲାରା ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ସେ ଘାତକ ବୋଲିଂ ପ୍ରଦର୍ଶନ କରି ମ୍ୟାଚର ମୋଡ଼ ବଦଳାଇ ଦେଇଛନ୍ତି। ଗ୍ରୀଭ୍ସ ମାତ୍ର ୧୧ ଓଭର ବୋଲିଂ କରି ୬ଟି ମେଡେନ୍ ଓଭର ସହ ୫ଟି ମୂଲ୍ୟବାନ ୱିକେଟ୍ ଦଖଲ କରିଛନ୍ତି। ତାଙ୍କର ଏହି ଘାତକ ବୋଲିଂ ଆଗରେ ପାକିସ୍ତାନୀ ବ୍ୟାଟର ସମ୍ପୂର୍ଣ୍ଣ ଭାବେ ଧରାଶାୟୀ ହୋଇପଡ଼ିଥିଲେ।
ମ୍ୟାଚର ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ରୀଭ୍ସଙ୍କୁ ସେତେଟା ସଫଳତା ମିଳି ନଥିଲା। ପ୍ରଥମ ୬ ଓଭର ବୋଲିଂ କରି ସେ ୧ଟି ମେଡେନ୍ ସହ ୨୭ ରନ୍ ଦେଇଥିଲେ ଏବଂ କୌଣସି ୱିକେଟ୍ ପାଇ ନଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ନିଜର ପ୍ରକୃତ ରୂପ ଦେଖାଇଥିଲେ। ନିଜର ପରବର୍ତ୍ତୀ ୫ ଓଭରରେ ସେ କୌଣସି ବି ରନ୍ ନ ଦେଇ ସମସ୍ତ ୫ଟି ଓଭରକୁ ମେଡେନ୍ କରିବା ସହ ୫ଟି ଯାକ ୱିକେଟ୍ ନିଜ ନାମରେ କରିଥିଲେ। ଫଳରେ ମାତ୍ର ୧୧ ଓଭରରେ ୨୭ ରନ୍ ଦେଇ ସେ ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
ଅଗ୍ରଣୀ ହାସଲ କରିବାରୁ ବଞ୍ଚିତ ପାକିସ୍ତାନ
ତୃତୀୟ ଦିନରେ ପାକିସ୍ତାନର ପ୍ରଥମ ପାଳି ଅନ୍ତ ହୋଇଥିଲା ଏବଂ ଦଳ ପ୍ରଥମ ପାଳିରେ ଅଗ୍ରଣୀ ହାସଲ କରିବାରେ ବିଫଳ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୩୧୧ ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ଦଳ ପକ୍ଷରୁ ୱିକେଟ୍ କିପର ବ୍ୟାଟର ସାଇ ହୋପ୍ ୯୨ ରନ୍ ଏବଂ କାଭେମ୍ ହୋଜ୍ ୮୪ ରନର ମଜଭୁତ ପାଳି ଖେଳିଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ଅଲ୍ଲୀ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ।
ଜବାବରେ ପାକିସ୍ତାନ ଦଳ ମଧ୍ୟ ପ୍ରଥମ ପାଳିରେ ୨୮୨ ରନ୍ କରିଥିଲା। ଦଳର ପୂର୍ବତନ ଅଧିନାୟକ ଶାନ ମସୁଦ ୧୨ଟି ଚୌକା ସହାୟତାରେ ୧୦୯ ରନ୍ ଏବଂ ଇମାମ-ଉଲ୍-ହକ ୬୩ ରନ୍ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜଷ୍ଟିନ ଗ୍ରୀଭ୍ସ ସର୍ବାଧିକ ୫ଟି ୱିକେଟ୍ ନେଇଥିବାବେଳେ କେମାର ରୋଚ୍ ଓ ଶମାର ଜୋସେଫ୍ ୨ଟି ଲେଖାଏଁ ଏବଂ ଜାୟଡନ ସିଲ୍ସ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଅଗ୍ରଣୀ ହାସଲ କରି ନିଜର ଦ୍ୱିତୀୟ ପାଳି ବ୍ୟାଟିଂ ଜାରି ରଖିଛି।