ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ସ୍ଥଳଭାଗର ଆହୁରି ନିକଟତର ହୋଇଛି। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରି ଏହା ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛି। ମଙ୍ଗଳବାର ଭୋର କିମ୍ବା ସକାଳ ସୁଦ୍ଧା ଏହା ପଶ୍ଚିମବଙ୍ଗର ଦିଘା ପୂର୍ବ ଏବଂ ହଳଦିଆର ପଶ୍ଚିମ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ ବିଭାଗର ସ୍ୱତନ୍ତ୍ର ବୁଲେଟିନ୍ ଅନୁଯାୟୀ, ଆଜି ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଏହି ସିଷ୍ଟମ୍ଟି ଦିଘାଠାରୁ ମାତ୍ର ୨୦ କିଲୋମିଟର ପୂର୍ବରେ ଏବଂ ଓଡ଼ିଶାର ବାଲେଶ୍ୱରଠାରୁ ମାତ୍ର ୮୦ କିଲୋମିଟର ପୂର୍ବରେ କେନ୍ଦ୍ରୀଭୂତ ରହିଥିଲା। ଏହା ବ୍ୟତୀତ କୋଣ୍ଟାଇଠାରୁ ୨୦ କିମି, ସାଗର ଦ୍ୱୀପଠାରୁ ୪୦ କିମି ଏବଂ ହଳଦିଆଠାରୁ ୬୦ କିଲୋମିଟର ଦୂରତାରେ ରହିଛି।
ଉତ୍ତର ଓଡ଼ିଶାରେ ବଢ଼ିବ ବର୍ଷାର ବିସ୍ତାର
ଏହି ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇବା ସହ ବର୍ଷାର ପରିମାଣ ବଢ଼ିବ। ବିଶେଷକରି ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି।
Also Read: ପିଜି ଆଡମିଶନ ପାଇଁ ବାଜିଲା ବିଗୁଲ; ଆଜିଠାରୁ ଚଏସ୍ ଲକିଙ୍ଗ, ଅଗଷ୍ଟ ୭ରେ ପ୍ରଥମ ମେଧା ତାଲିକା