ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗାଁରେ ଘଟିଛି ବଡ଼ ଧରଣର ଚୋରି। ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ପ୍ରାୟ ୭୦ ଭରି ସୁନା ଅଳଙ୍କାର ସହ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁସାରେ, କେନ୍ଦୁଗୁଡ଼ା ଗାଁର ଦେବେନ୍ଦ୍ର ପଣ୍ଡା ଜୁଲାଇ ୨୨ ତାରିଖରୁ ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଭୋଜିରେ ଯୋଗଦେବା ପାଇଁ ପରିବାର ସହ ଯାଇଥିଲେ। ଏହି ସମୟରେ ଘର ସମ୍ପୂର୍ଣ୍ଣ ଖାଲି ଥିବାର ସୁଯୋଗ ନେଇ ଲୁଟେରାମାନେ ଘରର ମୁଖ୍ୟ ତାଲା ଭାଙ୍ଗି ଭିତରକୁ ପଶିଥିଲେ।
ଘର ଭିତରେ ଥିବା ଆଲମିରା ଭାଙ୍ଗି ସେଥିରେ ରଖାଯାଇଥିବା ସୁନା ଅଳଙ୍କାର ଓ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଗତକାଲି ଦେବେନ୍ଦ୍ର ଘରକୁ ଫେରି ତାଲା ଭଙ୍ଗା ଦେଖିବା ସହ ଘର ଲଣ୍ଡଭଣ୍ଡ ଅବସ୍ଥାରେ ଥିବା ଦେଖି ତୁରନ୍ତ ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ।
ଖବର ପାଇ ପଦ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ର ସହାୟତାରେ ତଦନ୍ତ ଆରମ୍ଭ କରିଛି। ଚୋରମାନଙ୍କ ସୁରାକ ମିଳିବା ପାଇଁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଅଞ୍ଚଳରେ ମଧ୍ୟ ଏଭଳି ଏକ ବଡ଼ ଲୁଟ୍ ଘଟଣା ଘଟିଥିଲା। ସେଠାରେ ଘରର ତାଲା ଭାଙ୍ଗି ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା-ରୂପା ଅଳଙ୍କାର ସହ ୮୦ ହଜାର ଟଙ୍କା ନଗଦ ଲୁଟି ନିଆଯାଇଥିଲା। ରାଜ୍ୟରେ ବଢ଼ୁଥିବା ଏଭଳି ଲୁଟ୍ ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।