ବାଲେଶ୍ୱର: ରାଜ୍ୟରେ ଗଭୀର ଅବପାତ ଜନିତ ବର୍ଷା ଜାରି ରହିଛି । ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ଏହାରି ମଧ୍ୟରେ ବିଭିନ୍ନ ତୀର୍ଥସ୍ଥଳୀ ମଧ୍ୟ ପ୍ରଭାବିତ ହୋଇଛି । ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱରରେ ପଞ୍ଚଲିଙ୍ଗେଶ୍ୱରଙ୍କ ସ୍ପର୍ଶ ଦର୍ଶନ ବନ୍ଦ ରହିଛି । ସେପଟେ କଟକ ବାଙ୍କୀ ସ୍ଥିତ ମାଆ ଭଟ୍ଟାରିକାଙ୍କ ପୀଠକୁ ମହାନଦୀ ଜଳ ଛୁଇଁଛି ।
ବାଲେଶ୍ୱର ପ୍ରବଳ ବର୍ଷା ଜାରି ରହିଛି । ଭକ୍ତ ସୁରକ୍ଷା ଦୃଷ୍ଟିରୁ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ସ୍ପର୍ଶ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି । ମନ୍ଦିରର ଗେଟକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବନ୍ଦ ରଖାଯାଇଥିବା ମ୍ୟାନେଜର ସୂଚନା ଦେଇଛନ୍ତି । ବର୍ଷା ଛାଡ଼ିଲେ ପୁଣି ଥରେ ସ୍ପର୍ଶ ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ସେପଟେ କିଛି ସ୍ଥାନରେ ଶ୍ରାବଣ ମାସ ଆରମ୍ଭ ହୋଇଥିବାରୁ ଆଜି ଦ୍ୱିତୀୟ ଶ୍ରାବଣ ସୋମବାର ଅବସରରେ ପଞ୍ଚଲିଙ୍ଗେଶ୍ୱରରେ ପ୍ରବଳ କାଉଡ଼ିଆଙ୍କ ସମାଗମ ହୋଇଛି । ମାତ୍ର ସ୍ପର୍ଶ ଦର୍ଶନ ନ କରିପାରି ନିରାଶ ହୋଇଛନ୍ତି ।
ସେପଟେ ବାଙ୍କୀ ଭଟ୍ଟାରିକା ପୀଠରେ ମହାନଦୀର ଦ୍ୱିତୀୟ ବନ୍ୟା ଜଳ ଛୁଇଁଛି । ମନ୍ଦିର ବେଢ଼ାର ଶେଷ ପାହାଚରେ ନଦୀ ପ୍ରବାହିତ ହେଉଛି । ଦେବତ୍ତୋର ବିଭାଗ ପକ୍ଷରୁ ଭକ୍ତଙ୍କ ପାଇଁ ବ୍ୟାନର୍ ଲଗାଯାଇ ସଚେତନ କରାଯାଉଛି । ଯଦି ଆଉ ଦୁଇରୁ ତିନି ଫୁଟ୍ ପାଣି ବଢ଼େ ତେବେ ମାଆଙ୍କୁ ଗର୍ଭଗୃହରୁ ରୋଷ ଗୃହକୁ ସ୍ଥାନାନ୍ତର କରାଯିବ ।