ପୁରୀ: ଆଜି ହେଉଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ଦିବସ ନୀଳାଦ୍ରି ବିଜେ । ଆଜି ବଡ଼ ଦେଉଳକୁ ଫେରିବେ ଶ୍ରୀଜୀଉ । ମହାପ୍ରଭୁଙ୍କ ବିନା ଶ୍ରୀହୀନ ହୋଇଯାଇଥିବା ଶ୍ରୀମନ୍ଦିର ପୁଣି ଥରେ ପୁରି ଉଠିବ । ସେପଟେ ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇକି ମାନଭଞ୍ଜନ କରିବେ ପ୍ରଭୁ ଜଗତର ନାଥ ଜଗନ୍ନାଥ ।
ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିବାକୁ ମହାପ୍ରଭୁ ରତ୍ନବେଦୀରୁ ଓହ୍ଲାଇ ଆସିଥିଲେ । ଆଉ ସେହିଦିନଠାରୁ ମହାପ୍ରଭୁ ରତ୍ନବେଦୀକୁ ଫେରି ନାହାଁନ୍ତି । ଆଜି ପୁଣି ଥରେ ରତ୍ନବେଦୀକୁ ବାହୁଡ଼ିବେ ତିନି ଠାକୁର । ରଥଯାତ୍ରାରେ ବଡ଼ଦେଉଳକୁ ଛାଡ଼ି ଜନ୍ମବେଦୀରେ ଲୀଳାଖେଳା କରୁଥିଲେ । ନବଦିନାତ୍ମକ ଯାତ୍ରା ସାରି ପୁଣି ଥରେ ବାହୁଡ଼ା ଦଶମୀରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିଥିଲେ । ଏହା ପରେ ସୁନାବେଶ ଓ ଅଧରପଣା ନୀତି ହୋଇଥିଲା । ଆଜି ନୀଳାଦ୍ରି ବିଜେରେ ପୁଣି ଥରେ ରତ୍ନସିଂହାସନରେ ବସିବେ ଶ୍ରୀଜୀଉ ।
ଭକ୍ତଙ୍କ ଗହଳିରେ ଗୋଟି ପହଁଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିବେ । ଅର୍ଥାତ ଗୋଟିଏ ଦିଅଁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପହଁଚିବା ପରେ ଆଉ ଜଣେ ଦିଅଁ ରଥରୁ ଓହ୍ଲାଇବେ । ପ୍ରଥମେ ଚକ୍ରବୀର ସୁଦର୍ଶନ, ପରେ ବଡ଼ ଭାଇ ବଳଭଦ୍ର ଏବଂ ପରେ ଦେବୀ ସୁଭଦ୍ରା ଶ୍ରୀମନ୍ଦିରକୁ ପ୍ରବେଶ କରିବେ । କିନ୍ତୁ କାଳିଆସାଆନ୍ତଙ୍କ ପାଇଁ ବଡ଼ ଦେଉଳକୁ ଯିବା ଏତେ ସହଜ ହେବନି । କାରଣ ଧର୍ମପତ୍ନୀ ମା’ ଲକ୍ଷ୍ମୀ ଅଭିମାନ କରିଛନ୍ତି । ବାହୁଡ଼ାରେ ସିନା ଗଜପତି ମହାରାଜ ଲକ୍ଷ୍ମୀ ନାରାୟଣ କଳିର ସମାଧାନ କରିଛନ୍ତି ହେଲେ ମହାଲକ୍ଷ୍ମୀଙ୍କ ରାଗକୁ ଶାନ୍ତ କରାଇ ପାରିନାହାଁନ୍ତି । ମହାଲକ୍ଷ୍ମୀ ଦେଢ଼ଶୁର ଏବଂ ନଣନ୍ଦଙ୍କୁ ସହଜରେ ଛାଡ଼ିଦେବେ କିନ୍ତୁ ସ୍ୱାମୀ ଜଗନ୍ନାଥଙ୍କୁ ନୁହେଁ । ଚାହାଣୀ ମଣ୍ଡପରେ ଚାହିଁ ରହିଥିବା ମହାଲକ୍ଷ୍ମୀ ସିଂହଦ୍ୱାର ସମ୍ମୁଖରେ ବାଟ ଓଗାଳିବେ । ପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇ ଦେବେ ନାହିଁ । ଶେଷରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରି ବଡ଼ ଦେଉଳକୁ ବିଜେ କରିବେ ପ୍ରଭୁ ଜଗନ୍ନାଥ ।