ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ହୋଇଛି ପାଣିପାଗର ନୂତନ ସିଷ୍ଟମ୍। ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟସ୍ଥ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ଆକଳନ ଅନୁଯାୟୀ, ଏହି ସିଷ୍ଟମଟି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବ। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷ କରି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏହାର ପ୍ରଭାବ ଅଧିକ ରହିବ। ଏହାସହ ଉପକୂଳବର୍ତ୍ତୀ କେତେକାଞ୍ଚଳରେ ମଧ୍ୟ ବର୍ଷା ସାଙ୍ଗକୁ ପବନର ବେଗ ବୃଦ୍ଧି ପାଇବାର ଆଶଙ୍କା ରହିଛି।
ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ସତର୍କତା
କେନ୍ଦୁଝର ଜିଲ୍ଲାର କିଛି କିଛି ସ୍ଥାନରେ ଅତି ପ୍ରବଳରୁ ପ୍ରଚୁର ବର୍ଷା ହେବା ଆଶଙ୍କା ରହିଥିବାରୁ ସେଠାକାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ପ୍ରମୁଖ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇ ସତକର୍ ରହିବାକୁ ପରାମର୍ଶ ଦିଆଯାଇଛି।
ମତ୍ସ୍ୟଜୀବୀଙ୍କ ପାଇଁ କଟକଣା
ସମୁଦ୍ର ଅଶାନ୍ତ ରହିବା ଏବଂ ପବନର ବେଗ ଅଧିକ ରହିବା ସମ୍ଭାବନାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଆଜିଠାରୁ ସମୁଦ୍ର ଭିତରକୁ ନ ଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ପ୍ରଶାସନିକ ନିୟମାବଳୀ ମାନିବାକୁ ଅନୁରୋଧ କରାଯାଇଛି।
Also Read: ୧୪୫ କିମି/ଘଣ୍ଟା ବେଗରେ ଚୀନ୍ରେ ସାମୁଦ୍ରିକ ବାତ୍ୟା, ସାଢ଼େ ୩ ଲକ୍ଷ ଲୋକଙ୍କୁ ଉଦ୍ଧାର, ଅନେକ ବିମାନ ଉଡ଼ାଣ ବାତିଲ୍