ପୁରୀ: ଆଜି ହେଉଛି ଆଷାଢ଼ ଶୁକ୍ଳ ଏକାଦଶୀ ବା ହରିଶୟନ ଏକାଦଶୀ । ଆଜି ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତିନି ରଥ ଉପରେ ବିରାଜମାନ ତିନି ଠାକୁରଙ୍କ ସୁବର୍ଣ୍ଣ ବେଶ ଆରମ୍ଭ ହୋଇଛି । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯାଉଛି । ସ୍ୱର୍ଣ୍ଣ ମୁକୁଟ, କିରୀଟ, କୁଣ୍ଡଳ, ଶ୍ରୀହସ୍ତ, ଶ୍ରୀପୟର, ହରିଡ଼ାମାଳା, ବାହଡ଼ାମାଳା, ତଡ଼କୀ, ହଳମୂଷଳ, ଗଦା, ପଦ୍ମ, ଚକ୍ର ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ସଜେଇ ଦେଉଛନ୍ତି ସେବାୟତ ବୃନ୍ଦ । ପ୍ରାୟ ୧୩୮ ପ୍ରକାର ଅଳଙ୍କାର ଲାଗି କରାଯାଉଛି । ଆଉ କିଛି ସମୟ ପରେ ମହଣ ମହଣ ସୁନାରେ ଝଲସି ଉଠିବ ଶ୍ରୀମୁଖ । ଭକ୍ତଙ୍କୁ ରାଜାଧିରାଜ ବେଶ ବା ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ ।
ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । । ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ମାର୍କେଟ୍ ଛକଠାରୁ ବଡ଼ଦାଣ୍ଡରେ ବାରିକେଡ୍ ବ୍ୟବସ୍ଥା କରାଯାଇଛି । ଭକ୍ତ ବଡ଼ଦାଣ୍ଡର ବାମପାର୍ଶ୍ୱରୁ ଦର୍ଶନ ପାଇଁ ପ୍ରବେଶ କରି ତିନି ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଦକ୍ଷିଣ ପାର୍ଶ୍ୱରେ ପ୍ରସ୍ଥାନ କରିବେ ।
ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଦିନ ଅନୁଷ୍ଠିତ ହୋଇଥାଏ । ରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ସୁନାବେଶ ଅନୁଷ୍ଠିତ ହୋଇ ଆସୁଛି । ରାଜା କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନା ଅଳଙ୍କାର ଆଣିଥିଲେ । ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ୱାରସ୍ଥିତ ଶିଳାଲେଖରେ ସୂଚନା ରହିଛି । ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ । ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ ବୋଲି ଐତିହାସିକ ଏବଂ ଜଗନ୍ନାଥ ସଂସ୍କୃତି ଗବେଷକମାନେ ମତ ରଖନ୍ତି ।